ଛତ୍ରପୁର : କଟକଣା ସତ୍ତ୍ବେ ମାନୁ ନାହାନ୍ତି ପର୍ଯ୍ୟଟକ । ବିପଦକୁ ଜାଣି ଶୁଣି କରୁଛନ୍ତି ଆମନ୍ତ୍ରଣ । କୂଳ ଲଙ୍ଘୁଛି ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ର । ତେଣୁ ବେଳାଭୂମିକୁ ପର୍ଯ୍ୟଟକଙ୍କ ପାଇଁ ବାରଣ କରାଯାଇଛି । ତଥାପି ଏହାକୁ ନମାନି ଲୋକେ ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ବୋର୍ଡ ଲଗାଇବା ସହିତ ଏଠାକୁ ପ୍ରବେଶ ନିଷେଧ ବୋର୍ଡ ମଧ୍ୟ ଲଗାଯାଇଛି । ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ମଧ୍ୟ ଅମାନିଆଙ୍କୁ ବାରମ୍ବାର ଘଉଡ଼ାଇବା ସହିତ ସେଠାକୁ ଯିବା ପାଇଁ ବାରଣ କରୁଥିଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି । ଗତ କିଛି ଦିନ ତଳେ ସମୁଦ୍ରକୁ ଗାଧୋଇବାକୁ ଯାଇ ସମୁଦ୍ରରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଣୁ ଅଘଟଣକୁ ରୋକିବା ପାଇଁ ପ୍ରଶାସନ କଟକଣା ଜାରି ରଖିଥିଲେ ମଧ୍ୟ ଏହାକୁ ମାନୁନାହାଁନ୍ତି ପର୍ଯ୍ୟଟକ ।
ସେପଟେ ବର୍ତ୍ତମାନ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପାଖାପାଖି ୩ ହଜାର ମତ୍ସ୍ୟଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ବାସ କରିଆସୁଛନ୍ତି । ଗାଁ ଆଡ଼କୁ ସମୁଦ୍ର ମାଡ଼ି ଆସୁଥିବାରୁ ଗାର୍ଡୱାଲ୍ ଓ ପଥରବନ୍ଧ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଦାବି ଉପସ୍ଥାପନ କରିଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳୁନି । ଫଳରେ ଲୋକେ ଏବେ ଭୟର ବାତାବରଣ ଭିତରେ ରହିଛନ୍ତି । ଦୈନିକ ଜଳପତ୍ତନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆର୍ଯ୍ୟପଲ୍ଲୀରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି । ଉଚ୍ଚଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ।

