ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡକୁ ପୁଣେରୁ ଗିରଫ କରିଛି ସିବିଆଇ । ପି.ଭି କୁଲକର୍ଣ୍ଣୀ ନାମକ ବ୍ୟକ୍ତି ପେପର ଲିକର ମୁଖ୍ୟ ଖଳନାୟକ । ସେ ଜଣେ କେମିଷ୍ଟ୍ରି ଅଧ୍ୟାପକ ଏବଂ ପୂର୍ବରୁ NTA ପକ୍ଷରୁ ପରୀକ୍ଷା ପ୍ରକ୍ରିୟାରେ ସାମିଲ ରହିଥିଲେ। ତାଙ୍କ ପାଖରେ ପ୍ରଶ୍ନପତ୍ରର ଆକ୍ସେସ୍ ରହୁଥିଲା । ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ଅନେକ ବର୍ଷ ଧରି ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା କମିଟିର ସଦସ୍ୟ ଥିଲେ।
ସୂଚନା ଅନୁଯାୟୀ, ଏପ୍ରିଲ ଶେଷ ସପ୍ତାହରେ ସେ ଛାତ୍ରମାନଙ୍କୁ ଏକାଠି କରି ନିଜ ବାସଭବନରେ ସ୍ପେଶାଲ କୋଚିଂ କ୍ଲାସ ଚଳାଇ ଥିଲେ । ଏଥିପାଇଁ ସେ ଅନ୍ୟତମ ଅଭିଯୁକ୍ତ ମନୀଷା ୱାଘମାରେଙ୍କ ସାହାଯ୍ୟ ନେଇ ଥିଲେ। ମନୀଷାଙ୍କୁ ସିବିଆଇ ମେ’ ୧୪ ରେ ଗିରଫ କରିଛି । ଏହି କୋଚିଂ ସମୟରେ କୁଲକର୍ଣ୍ଣୀ ପ୍ରଶ୍ନଗୁଡ଼ିକର ବିକଳ୍ପ ଏବଂ ସଠିକ୍ ଉତ୍ତର କହିଥିଲେ । ଛାତ୍ରମାନେ ନିଜ ନୋଟବୁକରେ ଲେଖିଥିବା ପ୍ରଶ୍ନଗୁଡ଼ିକ ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାର ପ୍ରଶ୍ନ ସହ ସମାନ ଥିଲା ।
ସିବିଆଇ ମୁଖପାତ୍ରଙ୍କ ଅନୁଯାୟୀ, ଛାତ୍ରମାନେ ଏହି ବିଶେଷ କ୍ଲାସରେ ସାମିଲ ହେବା ପାଇଁ କଥିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ସିବିଆଇ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ଆପତ୍ତିଜନକ ଦଲିଲ, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି । ଏହାର ଫୋରେନସିକ୍ ଓ ବୈଷୟିକ ଯାଂଚ କରାଯାଉଛି ।
ସୂଚନାଯୋଗ୍ୟ, ଗୁରୁବାର ସୁଦ୍ଧା ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ ଏବଂ ଅହିଲ୍ୟାନଗରରୁ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟରେ ହାଜର କରାଯାଇ ୭ ଦିନିଆ ପୋଲିସ ହେପାଜତକୁ ପଠା ଯାଇଛି । ଅନେକ ପଚରାଉଚରା କରିବା ପରେ କୁଲକର୍ଣ୍ଣୀଙ୍କୁ ଗିରଫ କରିଛି । ଏହାପୂର୍ବରୁ ସିବିଆଇ ସତ ଜାଣିବା ପାଇଁ ଅନେକ ରାଜ୍ୟରେ ସ୍ପେଶାଲ ଟିମ ଜରିଆରେ ଚଢାଉ କରିଥିଲା ।
୧୨ ମଇରେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗରେ ନିଟ୍ ପେପର ଲିକ୍ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ .ହେବା ପରେ ସିବିଆଇର ସ୍ବତନ୍ତ୍ର ଟିମ୍ ଯାଞ୍ଚ ଆରମ୍ଭ କରିଥିଲା । ତେବେ ପୂର୍ବରୁ ହୋଇଥିବା ନିଟ୍ ପରୀକ୍ଷାକୁ ବାତିଲ କରାଯାଇ ପୁଣିଥରେ ଜୁନ୍ ୨୧ରେ ପରୀକ୍ଷା ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି ।

