ତିହିଡି, ୦୨.୧୧: ଭଦ୍ରକ ଜିଲ୍ଲା ପୀରହାଟା ଥାନା ହରିପୁର ଗାଁର ଜଣେ ଯୁବତୀଙ୍କ ନିଖୋଜ ଘଟଣାକୁ ସପ୍ତାହେ ବିତିଗଲାଣି ହେଲେ ଏଯାଏଁ କୌଣସି ଠୋସ୍ ପ୍ରମାଣ ମିଳି ପାରିଲା ନାହିଁ । ନିଖୋଜର ଦୁଇଦିନ ତଳେ ପାଳିଆପାଳ ଫେରିଘାଟ ନିକଟରେ ମନ୍ତେଇ ନଈରେ ଶବ ଭାସୁଥିବା ଏବଂ ତାହା ସଂପକ୍ତା ଯୁବତୀଙ୍କର ବୋଲି ପରିବାର ଲୋକେ ହୃଦ୍ବୋଧ କରି ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶବ ଉଦ୍ଧାର ହୋଇ ପାରିଲା ନାହିଁ ।
ଫଳରେ ପରିବାର ଲୋକଙ୍କର କାନ୍ଦବୋବାଳି ବନ୍ଦ ହେବାର ନାଁ ଧରୁନି । ସେପଟେ ଦୁଇଦିନ ତଳେ ଚାରିବାଟିଆ ଫେରିଘାଟରୁ ସଂପୃକ୍ତା ଯୁବତୀ ପିନ୍ଧିଥିବା ଚପଲ ଉଦ୍ଧାର ଘଟଣା ସିଧାସଳଖ ଅପହରଣ ପରେ ହତ୍ୟା ଅଭିଯୋଗକୁ ଟାଣି ନେଉଛି । ତେବେ ସେ ଯାହା ହେଉନା କାହିଁକି ଯୁବତୀ ବ୍ୟବହାର କରୁଥିବା ମୋବାଇଲ୍ର କଲ ରେକର୍ଡ ଆସିବା ପରେ ପୋଲିସ ସ୍ପଷ୍ଟ ହୋଇ ପାରିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଯୁବତୀଙ୍କର ବାପାଙ୍କ ଏତଲାକୁ ପୋଲିସ ଗୁରୁତ୍ୱ ସହକାରେ ଗ୍ରହଣ କରିଛି ଏବଂ ଯୁବତୀଙ୍କୁ କେଉଁ ଯୁବକ ମେସଜ ଜରିଆରେ ହଇରାଣ ହରକତ କରୁଥିବା ତାହାର ମଧ୍ୟ ତଦନ୍ତ ଚାଲିଛି । ଏହି ଘଟଣାଟି ସଂପ୍ରତି ଜିଲ୍ଲାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସୂଚନା ମୁତାବକ, ନିଖୋଜ ଯୁବତୀ ହେଉଛନ୍ତି ପୂଜାରାଣି ବାରିକ, ବୟସ ୧୯ । ଘର ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ଗୋକୁଳପୁର ଗାଁରେ । ସେ ପ୍ରାୟ ୧୧ ବର୍ଷ ହେଲା ହରିପୁର ଗାଁରେ ବାସନ୍ତୀ ମହାନ୍ତିଙ୍କ ଘରେ ପାଳକ ଝିଅ ହୋଇ ରହି ଆସୁଛି । ଚଳିତ ବର୍ଷରେ ସେ ବିଏସି ନସିଂରେ ପାଠ ପଢୁଛି । ଗତ ୨୭.୧୦.୨୬ରିଖ ରାତିରେ ବାସନ୍ତୀ ଓ ପୂଜାରାଣୀ ଖାଇ ସାରିବା ପରେ ଶୋଇଥିଲେ । ରାତି ପ୍ରାୟ ୧ ଘଟିକା ସମୟରେ ବାସନ୍ତୀ ଦେଖନ୍ତି ତ ପୂଜାରାଣି ସେଠାରେ ନାହିଁ । ବାଡିଘର ସମେତ ଗାଁ ସାରା ଖୋଜିବା ପରେ କୌଣସି ସନ୍ଧାନ ମିଳି ନଥିଲା । ଏନେଇ ଗତ ୨୮ ତାରିଖ ସଂଧ୍ୟାରେ ସେ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ମିସିଂ କେସ ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ତେବେ ଗତ ୨୯ ତାରିଖ ସକାଳ ପ୍ରାୟ ୧ ଘଟିକା ସମୟରେ ମନ୍ତେଇ ନଈ ବାଲିଆପାଳ ଫେରିଘାଟ ନିକଟରେ ଜଣେ ଯୁବତୀଙ୍କ ଶବ ଭାସୁଥିବା ଲୋକେ ଦେଖି ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ । ହେଲେ ପୋଲିସ ଏନେଇ କର୍ଣ୍ଣପାତ କରିନଥିଲା । ତେବେ ସୁଟିଂ ହୋଇଥିବା ଭିଡିଓରୁ ପୂଜାରାଣୀ ବୋଲି ୩୦ ତାରିଖ ସକାଳେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଅବଗତ ହୋଇଥିଲେ । ଘଟଣାକୁ ନେଇ ସେମାନେ ପୋଲିସ ସହାୟତା ୧୧୨କୁ ଜଣାଇଥିଲେ । ପରେ ଗଦି ଦମକଳ ବାହିନୀ ସମେତ ପୀରହାଟ ଓ ଘଣ୍ଟେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା । ସଂଧ୍ୟାରେ ମୃତା ଯୁବତୀଙ୍କ ପରିବାର ଲୋକେ ପୀରହାଟ ଥାନାରେ ଦ୍ୱାରସ୍ଥ ହୋଇ ମୃତଦେହ ଉଦ୍ଧାର କରିବା ସହିତ ମୃତ୍ୟୁ ପଛରେ ରହସ୍ୟ ଉନ୍ମୋଚନ କରିବାକୁ ଦାବୀ କରିଥିଲେ । ଆଇଆଇସି ରୋଜାଲିନୀ ବେହେରା ଘଟଣାକୁ ଗୁରୁତ୍ୱ ଭାବେ ଗ୍ରହଣ କରି ଶନିବାର ଓଡ୍ରାପ୍ଟ ଟିମ୍ ମାଧ୍ୟମରେ ଖୋଜି ବିଫଳ ହୋଇଛନ୍ତି ଏବଂ କୌଣସି ସ୍ଥାନରେ ଶବ ମିଳିଲେ ପୋଲିସକୁ ସୂଚନା ଦେବାକୁ ସେ ନିବେଦନ କରିଛନ୍ତି । ଅନ୍ୟପଟରେ ବାହାର ରାଜ୍ୟରେ କାମଧନ୍ଦା କରି ରହୁଥିବା ସଂପୃକ୍ତା ଯୁବତୀଙ୍କ ବାପା ଭୁବନମୋହନ ବାରିକ ଦୁଇ ଦିନ ତଳେ ଗାଁକୁ ଆସି ଝିଅ ନିଖୋଜ ଖବରର ରହସ୍ୟ ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କ ଝିଅକୁ ମୋବାଇଲ୍ ମେସେଜ୍ ଜରିଆରେ ଧମକ ଚମକ ଦେଇ ଆସୁଥିବା ନେଇ ଥାନାରେ ରିପୋର୍ଟ କରିଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

