ତିହିଡି, ୦୨.୧୧: ଭଦ୍ରକ ଜିଲ୍ଲା ତିହିଡି ତିହିଡି ସଦର ବଜାର ତଥା ଏନଏସି ଅଧିନ ମଙ୍ଗରାଜପୁର ଛକ ନକଟରେ ପ୍ରସ୍ତାବିତ ମଦ ବାର୍ ଖୋଲିବା ନେଇ
ଦିନକୁ ଦିନ ତିବ୍ର ବିବାଦ ଦେଖା ଦେଲାଣି । ଗତ ସୋମବାର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ସମେତ ଏନଏସି ଅଂଚଳର ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବିରୋଧଭାଷ କରିଥିଲେ । ପରେ ଅଗ୍ରଣୀ ସାମାଜିକ ସଂଗଠନ ଜୀବନଜ୍ୟୋତି ସେବା ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ହାତରେ ଫ୍ଲାକର୍ଡ ଧରି ଉଭୟ ସରକାର ଓ ପ୍ରଶାସନ ବିରୋଧରେ ନାରାବାଜି କରି ପଦଯାତ୍ରା ଜରିଆରେ ତିହିଡି ବଜାର ପରିକ୍ରମା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ସେଦିନ ଗୋପବନ୍ଧୁ ସେବକ ସଂଘ ପକ୍ଷରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ତା ୨୯.୧୦.୨୬ରିଖରେ ଓ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ତା ୩୦.୧୦.୨୬ ରିଖରେ ଜିଲ୍ଲାପାଳଙ୍କୁ ପ୍ରତିବାଦ ପତ୍ର ଜରିଆରେ ପ୍ରସ୍ତାବିତ ମଦ ବାର୍ ଲାଇସେନ୍ସିଂ ଏବଂ ଅନୁମୋଦନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଜଣାଇଛନ୍ତି । ଏହି ଘଟଣାକୁ ନେଇ ପ୍ରଶାସନିକ ଓ ସାମାଜିକ ସ୍ତରରେ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୂନଶ୍ଚ ତିହିଡି ଅଞ୍ଚଳର ଦୁଇ ସାମାଜିକ ସଂଗଠନ ଯଥା “ତିହିଡି ଯୁବମଞ୍ଚ”ଓ “ଉତ୍କଳମଣି ସେବା ସଂଘ” ପକ୍ଷରୁ ପ୍ରସ୍ତାବିତ ମଦ ବାର୍କୁ ତିବ୍ର ବିରୋଧ କରିବା ସହିତ ଆପତ୍ତି ପତ୍ର ପ୍ରଦାନ କରା ଯାଇଛି । ସେମାନେ ପୃଥକଭାବେ ଅତିରିକ୍ତ ଜିଲ୍ଲାପାଳ, ତିହିଡି ତହସିଲଦାର, ବିଡିଓ ଓ ଆଇଆଇସିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଅତି ଚଂଚକତା ଓ ଚତୁରତା ସହିତ ଅବକାରୀ ବିଭାଗ ସରକାରଙ୍କ ସମସ୍ତ ଗାଇଡ୍ ଲାଇନ୍ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ପ୍ରସ୍ତାବିତ ମଦ ବାର୍ ସ୍ଥାନ ନିକଟରେ ବ୍ଲକ୍ କାର୍ଯ୍ୟାଳୟ, ସ୍କୁଲ, କଲେଜ, ପୋଷ୍ଟ ଅଫିସ୍, ବ୍ୟାଙ୍କ୍ ଓ ମନ୍ଦିର ଭଳି ଗୁରୁତ୍ୱପୂର୍ଣ ଅନୁଷ୍ଠାନ ଅବସ୍ଥିତ । ଏପରି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମଦବାର ଖୋଲିବା ଆମ ଅଞ୍ଚଳର ସାମାଜିକ ପରିବେଶ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ମହିଳାଙ୍କ ସୁରକ୍ଷା ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ଗଭୀର ଚିନ୍ତାର ବିଷୟ । ତିହିଡିର ସଂସ୍କୃତି, ଏତିହ୍ୟ, ପରମ୍ପରା, ଶାନ୍ତ ଓ ଯୁବପିଢ଼ିଙ୍କର ଭବିଷ୍ୟତକୁ ବିପଦରେ ପକାଇ ଏପରି ମଦବାର ଖୋଲିବାକୁ କୌଣସି ପରିସ୍ଥିତିରେ ଗ୍ରହଣ ନୁହେଁ । ତେଣୁ ତାହାକୁ ତୁରନ୍ତ ବନ୍ଦ କରିବା ଲାଗି ଆପତ୍ତି ଉଠାଇଛନ୍ତି । ନଚେତ ଗଣତାନ୍ତ୍ରିକ ଉପାୟରେ ଜୋରଦାର ଜନଆନ୍ଦୋଳନ, ଧାରଣା ଓ ବିକ୍ଷୋଲ କରାଯବ ଏବଂ ଏଥିପାଇଁ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଚେତାବନି ଦିଆଯାଇଛି । “ତିହିଡି ଯୁବମଞ୍ଚ” ତରଫରୁ ସଭାପତି କୈଳାସ ବେହେରା ଓ ସମ୍ପାଦକ ନିରଞ୍ଜନ ବାରିକ ଏବଂ “ଉତ୍କଳମଣି ସେବା ସଂଘ” ପକ୍ଷରୁ ସଭାପତି ଖଗେଶ୍ୱର ତ୍ରିପାଠୀ ଓ ସମ୍ପାଦକ ବିଷ୍ମୟ ବିହାରୀ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏପରି ଦାବିପତ୍ର ପ୍ରଦାନ କରିଥିଲେ । ଅବକାରୀ ବିଭାଗ ପକ୍ଷରୁ ନାମକୁ ମାତ୍ର ନୋଟିସ୍ ଜାରି କରାଯାଇଥିବା, ଚଂଚକତା କରି କାଗଜପତ୍ର ପ୍ରସ୍ତୁତ କରିଥିବା ଏପରିକି ଲୋକଲୋଚନକୁ ଯେପତି କଥା ନଯିବ ସେଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରି ମଦ ବାର୍ ଖୋଲିବାକୁ ଯାଉଥିବା ସମସ୍ତ ଅଭିଯୋଗରେ ଦର୍ଶାଯାଇଛି ଏବଂ ଏପରି ବିରୋଧଭାଷ ପ୍ରଶାସନକୁ ଭାରି ପଡିବ ବୋଲି କୁହାଯାଉଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

