ପୂର୍ବ ତଟ ରେଳପଥ ପକ୍ଷରୁ ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀ ମାନଙ୍କ ପାଇଁ ୧ ନଭେମ୍ବରରୁ ୩୦ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ 5.0 ଆୟୋଜନ କରାଯିବ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାକୁ ସହଜ ଓ ସୁବିଧାଜନକ କରିବା ସହ ପେନସନଭୋଗୀ ମାନଙ୍କ ପାଇଁ ଅଧିକ ସୁଲଭ କରିବା।
ପୂର୍ବ ତଟ ରେଳପଥ ଅଧୀନରେ ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ସମେତ ଖୋର୍ଦ୍ଧା ରୋଡ, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନର ବିଭିନ୍ନ ସ୍ଥାନରେ ଏହି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। ଏହି ଶିବିର ଗୁଡ଼ିକରେ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନେ ଡିଜିଟାଲ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ଖୋର୍ଦ୍ଧା ରୋଡ ଡିଭିଜନ ଅଧୀନରେ ବ୍ରହ୍ମପୁର, ବାଲୁଗାଁ, ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ଅନୁଗୁଳ, ଭଦ୍ରକ ଏବଂ କେନ୍ଦୁଝରଗଡ଼ରେ ଶିବିର ଆୟୋଜନ କରାଯିବ। ରାୟଗଡ଼ା ଡିଭିଜନ ଅଧୀନରେ ଡିଆରଏମ୍ (ପର୍ସୋନେଲ୍) କାର୍ଯ୍ୟାଳୟ, ରାୟଗଡ଼ା ସମେତ କୋରାପୁଟ, ଜୟପୁର ଏବଂ ଆରକୁର ନିର୍ଦ୍ଧାରିତ କାର୍ଯ୍ୟାଳୟଗୁଡ଼ିକରେ ଶିବିର ଅନୁଷ୍ଠିତ ହେବ।
ସମ୍ବଲପୁର ଡିଭିଜନ ଅଧୀନରେ ରେଢ଼ାଖୋଲ, ବଲାଙ୍ଗୀର, ଟିଟିଲାଗଡ଼, ମହାସମୁନ୍ଦ ଏବଂ କଣ୍ଟାବାଞ୍ଜିରେ ଶିବିର ଆୟୋଜନ କରାଯିବ। ଏହା ସହିତ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ କ୍ୟାରେଜ ରିପେୟାର ୱର୍କସପ୍ ଏବଂ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଅଧୀନରେ ପିସିପିଓ/ପିଏଫଏ (PCPO/PFA) କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ନିର୍ଦ୍ଧାରିତ ସ୍ଥାନରେ ମଧ୍ୟ ଶିବିର ଆୟୋଜନ କରାଯିବ।
୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ଅତି ବରିଷ୍ଠ ପେନସନଭୋଗୀମାନଙ୍କୁ ସୁବିଧାଜନକ ଭାବେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ।
ଶିବିରକୁ ଆସୁଥିବା ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ସୁବିଧାଜନକ ଭାବେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଆଧାର କାର୍ଡ, ପେନସନ ପେମେଣ୍ଟ ଅର୍ଡର (PPO), ବ୍ୟାଙ୍କ ପାସବୁକ୍ ଏବଂ ଆଧାର କାର୍ଡ ସହ ସଂଯୁକ୍ତ ମୋବାଇଲ ଫୋନ୍ ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ପୂର୍ବ ତଟ ରେଳପଥ ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କର ପରିବାର ପେନସନଭୋଗୀମାନଙ୍କୁ ସୁଗମ, ଦକ୍ଷ ଏବଂ ପେନସନଭୋଗୀ ଅନୁକୂଳ ସେବା ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛି।

