ଉଦଳା: ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିଲେ । ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ବଙ୍ଗଳା ଛକରେ । ଏଠାରେ ଥିବା ଏକ ଏସବିଆଇ ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ । ଲୁଟେରାମାନେ ଏଟିଏମ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶିଥିଲେ । ପରେ ଗ୍ୟାସ କଟରରେ ଏଟିଏମକୁ କାଟିଥିଲେ ।
ଗ୍ୟାସ କଟରରେ କାଟିବା ଫଳରେ ଏଟିଏମ ମେସିନର କିଛି ଅଂଶ ମଧ୍ୟ ଜଳି ଯାଇଛି । ମେସିନ କାଟିବା ପରେ ସମସ୍ତ କ୍ୟାସ ଟ୍ରେରୁ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ । ଖୁଣ୍ଟା ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

