ତାମିଲନାଡୁରେ ‘ବିଜୟ’ ସସପେନ୍ସ । ମ୍ୟାଜିକ ନମ୍ବର ପାଇଁ ଅଙ୍କକଷା ଜାରି । ରାଜଭବନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତାମିଲନାଡୁ ରାଜନୀତିରେ ଏବେ ‘ସୁପରଷ୍ଟାର’ ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ପରଦାରେ ଅନେକ ହିଟ୍ ଫିଲ୍ମ ଦେଇଥିବା ବିଜୟ ଏବେ ରାଜନୀତିର ଅଙ୍କକଷାରେ ଛନ୍ଦି ହୋଇପଡ଼ିଛନ୍ତି । ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ପାଖାପାଖି ପହଞ୍ଚିଥିଲେ ମଧ୍ୟ ସରକାର ଗଠନ ପାଇଁ ଅପେକ୍ଷା ବଢ଼ିବାରେ ଲାଗିଛି। ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ଏବେ ହାଇ-ଡ୍ରାମା ଦେଖିବାକୁ ମିଳୁଛି।
ସରକାର ଗଠନ ପାଇଁ ବିଜୟଙ୍କ ସଂଘର୍ଷ ଏବେ ଏକ ଜଟିଳ ସ୍ଥିତିରେ ପହଞ୍ଚିଛି। ସୁପରଷ୍ଟାର ସି. ଜୋସେଫ ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଜାଗାମ୍ (TVK) ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ଆସନଠାରୁ ସାମାନ୍ୟ ଦୂରରେ ରହିଛି । ଏହାରି ଭିତରେ ସଂଖ୍ୟା ଗଣିତର ଜଟିଳତା ଦେଖାଦେଇଛି । ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ପାଇଁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। TVK ପାଖରେ ରହିଛି୧୦୮ ଆସନ । DMK ପାଖରେ ୫୯ ଆସନ ରହିଥିବା ବେଳେ AIADMKପାଖରେ ଅଛି ୪୭ ଆସନ । ୫ ଆସନକୁ ନେଇ ବିଜୟଙ୍କୁ ସମର୍ଥନ ଘୋଷଣା କରିଛି କଂଗ୍ରେସ । ବର୍ତ୍ତମାନ ବିଜୟଙ୍କ ପାଖରେ ନିଜ ଦଳ ଓ କଂଗ୍ରେସକୁ ମିଶାଇ ପାଖାପାଖି ୧୧୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯେହେତୁ ବିଜୟ ନିଜେ ୨ଟି ଆସନରୁ ଜିତିଛନ୍ତି ତେଣୁ ହିସାବରେ ତାଙ୍କ ଦଳର ୧୦୭ ବିଧାୟକ। ତଥାପି ସରକାର ଗଠନ ପାଇଁ ଦଳକୁ ଆଉ ୬ ଜଣ ବିଧାୟକଙ୍କ ସମର୍ଥନ ଦରକାର। ଗତକାଲି ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ କୌଣସି ଆମନ୍ତ୍ରଣ ଦେଇନାହାନ୍ତି ।
ସୂତ୍ର ଅନୁଯାୟୀ, ରାଜଭବନ ବର୍ତ୍ତମାନ ଆଇନଗତ ପରାମର୍ଶ ଲୋଡୁଛି ଏବଂ ବିଜୟଙ୍କୁ ବହୁମତର ସ୍ପଷ୍ଟ ପ୍ରମାଣ ଦେବାକୁ କହିଛି । ତାମିଲନାଡୁ କଂଗ୍ରେସ ୟୁନିଟ୍ ବିଜୟଙ୍କୁ ବିନା ସର୍ତ୍ତରେ ସମର୍ଥନ ଜଣାଇଛି । କିନ୍ତୁ ଏହି ନିଷ୍ପତ୍ତିରେ ଦୀର୍ଘ ଦିନର ସହଯୋଗୀ DMK କ୍ଷୁବ୍ଧ ହୋଇଛି। କଂଗ୍ରେସକୁ “ଅବସରବାଦୀ” ବୋଲି କହି DMK ନେତାମାନେ ସମାଲୋଚନା କରିଛନ୍ତି ।
ଅନ୍ୟପଟେ TVK ଏବେ ସ୍ୱାଧୀନ ବିଧାୟକ, VCK ଏବଂ ବାମପନ୍ଥୀ ଦଳଗୁଡ଼ିକ ସହ ଆଲୋଚନା ଚଳାଇଛି। ଯଦି ଆଗାମୀ କିଛି ଦିନ ମଧ୍ୟରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ ନହୁଏ, ତେବେ ମାମଲା ଅଧିକ ଜଟିଳ ହୋଇପାରେ । ବିଜୟ ହୁଏତ ବାହାର ସମର୍ଥନ ଲୋଡି ପାରନ୍ତି କିମ୍ବା ଆବଶ୍ୟକ ପଡ଼ିଲେ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି। ତାମିଲନାଡୁର ଏହି ‘ରାଜନୈତିକ ଥ୍ରୀଲର’ ଏବେ କେଉଁ ମୋଡ଼ ନେଉଛି, ତା ଉପରେସାରା ଦେଶର ନଜର ରହିଛି

