ବାଲେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି), ବାଲେଶ୍ୱର ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ‘ଗଣତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ’ ଶୀର୍ଷକ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଭେନିଆ ପାରାଡାଇଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଓଡ଼ିଶା ରାଜ୍ୟ ସହପ୍ରଭାରୀ ଡଃ ସ୍ୱଦେଶ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।
କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା, ଜନସାଧାରଣଙ୍କ ମଧ୍ୟରେ ରାଜନୈତିକ ସଚେତନତା ବୃଦ୍ଧି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା।
ମୁଖ୍ୟ ଅତିଥି ଡଃ ସ୍ୱଦେଶ ସିଂହ ନିଜ ଅଭିଭାଷଣରେ କହିଥିଲେ ଯେ, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଜନସାଧାରଣଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବା ସହ କ୍ଷମତା ହାସଲ ପାଇଁ ଭିଡ଼ତନ୍ତ୍ରର ଆଶ୍ରୟ ନେଉଛି। ଏହାଦ୍ୱାରା ଦେଶରେ ଅରାଜକତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ ମତପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ଇଭିଏମ୍ର କାର୍ଯ୍ୟପ୍ରଣାଳୀ, ନିର୍ବାଚନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ସମୟ ସମୟରେ ମନଗଢା ପ୍ରଶ୍ନ ଉଠାଉଛନ୍ତି। ଏପରି ଅଭିଯୋଗ କେବଳ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ପାଇଁ। ତେଣୁ ଏହି ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବା ପାଇଁ ଦଳ ପକ୍ଷରୁ ଆଲୋଚନା, ସଭା, ଜନସମ୍ପର୍କ ଅଭିଯାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ।
ଡଃ ସ୍ୱଦେଶ ସିଂହ କର୍ମୀମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଗଣତନ୍ତ୍ରର ସୁରକ୍ଷା ପାଇଁ ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା, ଆଲୋଚନା ମାଧ୍ୟମରେ ନିଜର ମତ ଉପସ୍ଥାପନ କରିବା ଏବଂ ଲୋକଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାର ମହତ୍ତ୍ୱ ବୁଝାଇବା ଆବଶ୍ୟକ। ଦେଶରେ ଶାନ୍ତି, ଶୃଙ୍ଖଳା ଓ ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଦାୟିତ୍ୱବାନ ଭୂମିକା ନିର୍ବାହ କରିବାକୁ ପଡ଼ିବ ବୋଲି ସେ ମତ ଦେଇଥିଲେ।
ଯେଉଁଠି ନିର୍ବାଚନରେ ହାର ହୁଏ, ସେଇଠି କିଛି ଲୋକଙ୍କୁ ସବୁଠି ଗଡ଼ବଡ଼ ଦେଖାଯାlଏ। ଦେଶରେ କ’ଣ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସଂଶୋଧନ ହେଉଛି? ଭୋଟର ତାଲିକାକୁ ଶୁଦ୍ଧ, ସଠିକ୍ ଓ ସ୍ୱଚ୍ଛ କରିବା କ’ଣ ଭୁଲ୍?
୧୩ କୋଟି ଲୋକଙ୍କ ନାମ କଟିଗଲା ବୋଲି କହି ଜନସାଧାରଣଙ୍କୁ ଭ୍ରମିତ କରିବା ପୂର୍ବରୁ ଏହାର ଉତ୍ତର ଦେବା ଦରକାର, ଏହି ନାମଗୁଡ଼ିକ ମଧ୍ୟରୁ କେତେ ଜଣ ମୃତକ, କେତେ ଜଣ ସ୍ଥାୟୀ ଭାବେ ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି, କେତେ ଜଣଙ୍କ ନାମ ଏକାଧିକ ସ୍ଥାନରେ ରହିଛି ଏବଂ କେତେ ଜଣଙ୍କ ସମ୍ପର୍କରେ ଯାଞ୍ଚ କରିବା ସମ୍ଭବ ହୋଇନାହିଁ?
ପ୍ରାରମ୍ଭିକ ଅଭିଭାଷଣରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା କର୍ମଶାଳାର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଦଳୀୟ କର୍ମୀମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚି ଦଳର ମତାମତ ଓ ଆଭିମୁଖ୍ୟ ଉପସ୍ଥାପନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ବାଲେଶ୍ୱରର ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦଳୀୟ କର୍ମୀ ଓ ନେତାମାନଙ୍କୁ ଏକଜୁଟ ହୋଇ ଦେଶର ସ୍ୱାର୍ଥ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଜିଲ୍ଲା ପ୍ରଭାରୀ ଗୌତମ ରାୟ କର୍ମଶାଳାରେ ଗଣତନ୍ତ୍ରର ସୁରକ୍ଷା, ଜନସଚେତନତା, ଜନସମ୍ପର୍କ ଓ ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଗଣତାନ୍ତ୍ରିକ ପଦ୍ଧତିରେ ମତଭେଦର ସମାଧାନ, ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ହିଁ ଏକ ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର ବୋଲି ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଚନ୍ଦ୍ରଶେଖର ନନ୍ଦ କର୍ମଶାଳା ପରିଚାଳନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ, ପୁର୍ବତନ ସାଂସଦ ରବିନ୍ଦ୍ର ଜେନା, ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏବଂ ସୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡା ମଞ୍ଚାସିନ ଥିଲେ।

