ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ ରଥ । ତାଙ୍କୁ କୋଲକାତା ନିକଟସ୍ଥ ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଚନ୍ଦ୍ରନାଥ ରଥ ଏକ କାର୍ ରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କୁ ଅଟକାଇଥିଲେ । ଦୁର୍ବୃତ୍ତମାନେ କାର୍ ଝରକା ଦେଇ ଖୁବ୍ ନିକଟରୁ ତାଙ୍କ ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ରଥଙ୍କ ଛାତି, ପେଟ ଏବଂ ମୁଣ୍ଡରେ ୩ଟି ଗୁଳି ବାଜିଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ତାଙ୍କ କାର୍ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ବିଜେପି ଏହାକୁ ଏକ “ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ” ବୋଲି କହିିଛି । ଏଥିପାଇଁ TMC କୁ ଦାୟୀ କରିଛି ବିଜେପି । ଗୁଣ୍ଡାଗିରିକୁ ଆଉ ବରଦାସ୍ତ କରାଯିବନି ବୋଲି କହିଛି । ଶୁଭେନ୍ଦୁ ଅଧିକାରୀ ଏହାକୁ ଯୋଜନାବଦ୍ଧ କୋଲ୍ଡ ବ୍ଲଡେଡ୍ ମର୍ଡର ବୋଲି କହିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଥ୍ୟ ପ୍ରମାଣ ସଂଗ୍ରେହ କରିଛନ୍ତି ।

