ନୂଆଦିଲ୍ଲୀ : ଭୋଟ ଗଣତି ପୂର୍ବରୁ ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗରୁମ ବାହାରେ ରଖିବା ଆବେଦନକୁ ଝଟକା । ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍ ଯୁକ୍ତି ସମ୍ମତ ନୁହେଁ ବୋଲି କହିଛନ୍ତି । ଷ୍ଟ୍ରଙ୍ଗରୁମ କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ସର୍କୁଲାର ଲାଗୁ ହେବ । କର୍ମଚାରୀ ଚୟନ ସମ୍ପୂର୍ଣ୍ଣ ଭାବେ ନିର୍ବାଚନ କମିଶନଙ୍କ ନିୟନ୍ତ୍ରଣାଧୀନ । ନିର୍ବାଚନ କମିଶନ କାଉଣ୍ଟିଂ ସୁପରଭାଇଜର ଚୟନ କରିପାରିବେ । ଏଥିପାଇଁ କୌଣସି ଆଦେଶର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଆଉ ଦୁଇ ଦିନ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ହେବ । ୨୯୪ ସିଟରେ ନୂଆ ବିଧାୟକ ବାଛିବେ ଭୋଟର । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ହେବେ । ହେଲେ ଏହାକୁ ବିରୋଧ କରିଥିଲେ ମମତା । କେନ୍ଦ୍ର ସରକାରଙ୍କ କର୍ମଚାରୀ ମତଗଣନା ବେଳେ ଉପସ୍ଥିତ ରହିବା ଅନୁଚିତ ବୋଲି ମମତା ଦାବି କରିଥିଲେ । ପ୍ରଥମେ ମାମଲାକୁ ନେଇ ସେ ହାଇକୋର୍ଟ ଯାଇଥିଲେ । ହେଲେ କୋଲକାତା ହାଇକୋର୍ଟ ମମତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।
ତେବେ କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ମମତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ଭୋଟ୍ ଗଣତିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ନିୟମର ଉଲ୍ଲଙ୍ଘନ ନୁହେଁ ବୋଲି କହିଛନ୍ତି । ଏହାସହ ଘଟଣାକୁ ନେଇ ନୂଆ ଆବେଦନର ଆବଶ୍ୟକତା ନଥିବା ଖଣ୍ଡପୀଠ ପ୍ରକାଶ କରିଛନ୍ତି ।

