ତିହିଡି, ୨୭.୦୪: ଜବର ଦଖଲରୁ ମୁକ୍ତ ହେଲା କମାରିଆ ବଜାରସ୍ଥିତ ସରକାରୀ ରାସ୍ତା । ରାସ୍ତାଟି ଭଦ୍ରକ-ଚାନ୍ଦବାଲି ରାଜପଥ କମାରିଆରୁ ଦୋହରାସାହି ଶଙ୍କରପୁର ପର୍ଯ୍ୟନ୍ତ ଲମ୍ବିଛି । ରାସ୍ତାର ପୂର୍ବ ପାର୍ଶ୍ଚରେ ରାସ୍ତା ଉପରେ ଦୋକନ ଗୃହ ଗୁଡିକ ଅବସ୍ଥାପିତ ହୋଇଥିଲା ଯାହାରାସ୍ତା ନିର୍ମାଣ ପାଇଁ ଅସବିଧା ହେଉଥିଲା । ଶୁକ୍ରବାର ତହସିଲ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ୩ ଦିନ ମଧ୍ୟରେ ନିଜେ ନିଜେ ନଉହରିଲେ ଆଇନ୍ ଅନୁଯାଇ ଉଚ୍ଛେଦ କରାଯିବ ବୋଲି ଚେତାବନି ଦିଆ ଯାଇଥିଲା । ଏହାପରେ ଦୋକାନୀମାନେ ଜବର ଦଖଲ କରିଥିବା ଦୋକାନ ଗୃହ ଗୁଡିକୁ ଭାଙ୍ଗି ଦେଇଥିବା ଜଣାଯାଇଛି । ଦୁଇଟି ସରକାରୀ ପ୍ଲଟରେ ଦୋକନ କରି ବ୍ୟବସାୟ କରୁଥିବା ୨୮ ଜଣଙ୍କୁ ନୋଟିସ ଜାରି ହୋଇଥିଲା ଏବଂ ସୋମବାର ୨୦ଟି ଦୋକାନ ଭଙ୍ଗା ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ୨୦୧୨ ମସିହା ଠାରୁ ଉକ୍ତ ଜବର ଦଖଲ ପ୍ରସଙ୍ଗରେ ଅଭିଯୋଗ ହୋଇ ଆସୁଥିଲା । ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଅଭିଯୋଗକାରୀ ଗୋପିନାଥ ସାହୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଏନେଇ ଏକ ମାମଲା ଡବ୍ଲୁପିସି ୫୦୫୩/୨୦୧୨ରୁଜୁ ହୋଇଥିଲା । ପରେ ଜବର ଦଖଲ ଉଚ୍ଛେଦ ପାଇଁ ଏହାର ଶୁଣାଣୀ ମଧ୍ୟ ହୋଇଥିଲା । ମାତ୍ର ପ୍ରଶାସନ ସ୍ତରରେ ଏହା କାର୍ଯ୍ୟକାରୀ ହୋଇନଥବାରୁ ଶ୍ରୀ ସାହୁ ବାରମ୍ବାର ହାଇକୋର୍ଟରେ ଅପିଲ୍ ମଧ୍ୟ କରି ଆସୁଥିଲେ । ଶେଷରେ ଆଜି ଏହା ସଫଳ ହୋଇଛି । ଏଠାରେ ସୂଚନା ଥାଉକି, ଗତ କିଛି ମାସ ତଳେ ଏହି ରାସ୍ତାର ସଂପ୍ରସାରଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ୟୟ ବରାଦ କରାଯାଇ ଠିକାଦାର ନିଯୁକ୍ତ ହୋଇଛନ୍ତି । ମାତ୍ର ରାସ୍ତା ଜବର ଦଖଲ ହୋଇଥିବା ନେଇ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇ ପାରୁନଥିଲା । ଅନ୍ୟପଟେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀରେ ବିଷ୍ଣୁ ଚରଣ ମହାନ୍ତି, ଅଜୟ ମଳିକ, ରାମଚନ୍ଦ୍ର ମଳିକ, ହୃଷିକେଶ ମଳିକ, ଉଦ୍ଧବ ମଳିକ, କବି ମଳିକ, ଅକ୍ଷୟ ମଳିକ ଓ ପିତାମ୍ବର ବାରିକ ପ୍ରମୁଖ ସଂପୃକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜମି ଜବର ଦଖଲ ହୋଇଥିବା ଅଭିଯୋଗ କରିବା ସହି କ୍ଷେତ୍ରୀୟ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

