ତିହିଡି, ୩୧.୧୦: ତିନିଦିନ ତଳେ ମନ୍ତେଇ ନଈରେ ଭାସୁଥିବା ଜନୈକା ନିଖୋଜ ହୋଇଥିବା ଯୁବତୀଙ୍କ ଶବ ଉଦ୍ଧାର କରିବାରେ ଦୁଇ ହେଲା ବିଫଳ ହୋଇଛି ପ୍ରଶାସନ ।

ଶୁକ୍ରବାର ଦମକଳ ବାହିନୀ ସମେତ ପୀରହାଟ ଓ ଘଣ୍ଟେଶ୍ୱର ପୋଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୋଣସି ସନ୍ଧାନ ମିଳିନଥିଲା । ସେହିପରି ଶନିବାର ପୀରହାଟ ପୋଲିସ ଉପସ୍ଥିତିରେ ଓଡ୍ରାପ୍ଟ ଟିମ୍ ମଧ୍ୟ ଖୋଜାଖୋଜି କରିଥିଲା ହେଲେ କୌଣସି ଫଳପ୍ରଦ ନମିଳିବାରୁ ପରିବାର ଲୋକେ ଦୁଇଟି ଭୁଟୁଭୁଟି ମାଧ୍ୟମରେ ଖୋଜିବା ଆରମ୍ଭ କରିଛନ୍ତି । ଯେଉଁ ସମୟରେ ମନ୍ତେଇ ନଈ ବାଲିଆପାଳ ଫେରିଘାଟ ନିକଟରେ ଶବ ଭାସୁଥିଲା ଏବଂ ପୋଲିସ ଖବର ପାଇ ଯଦି ତତ୍କ୍ଷଣାତ ଉଦ୍ଧାର କରି ଥାଆନ୍ତା ଆଜିର ଦିନରେ ଏପରି ସମସ୍ୟା ହେଉନଥାଆନ୍ତା ବୋଲି ମତପ୍ରକାଶ ପାଇଛି । ନିଖୋଜ ଯୁବତୀ ହେଉଛନ୍ତି ପୂଜାରାଣି ବାରିକ, ବୟସ ୧୯ । ଘର ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ଗୋକୁଳପୁର ଗାଁରେ । ସେ ପ୍ରାୟ ୧୧ ବର୍ଷ ହେଲା ହରିପୁର ଗାଁରେ ବାସନ୍ତୀ ମହାନ୍ତିଙ୍କ ଘରେ ପାଳକ ଝିଅ ହୋଇ ରହି ଆସୁଛି । ଚଳିତ ବର୍ଷରେ ସେ ବିଏସି ନସିଂରେ ପାଠ ପଢୁଛି । ଗତ ୨୭.୧୦.୨୬ରିଖ ରାତିରେ ବାସନ୍ତୀ ଓ ପୂଜାରାଣୀ ଖାଇ ସାରିବା ପରେ ଶୋଇଥିଲେ । ରାତି ପ୍ରାୟ ୧ ଘଟିକା ସମୟରେ ବାସନ୍ତୀ ଦେଖନ୍ତି ତ ପୂଜାରାଣି ସେଠାରେ ନାହିଁ । ବାଡିଘର ସମେତ ଗାଁ ସାରା ଖୋଜିବା ପରେ କୌଣସି ସନ୍ଧାନ ମିଳି ନଥିଲା । ଏନେଇ ଗତ ୨୮ ତାରିଖ ସଂଧ୍ୟାରେ ସେ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ମିସିଂ କେସ ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ତେବେ ଗତ ୨୯ ତାରିଖ ସକାଳ ପ୍ରାୟ ୧ ଘଟିକା ସମୟରେ ମନ୍ତେଇ ନଈ ବାଲିଆପାଳ ଫେରିଘାଟ ନିକଟରେ ଜଣେ ଯୁବତୀଙ୍କ ଶବ ଭାସୁଥିବା ଲୋକେ ଦେଖି ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ । ପୋଲିସ ଏନେଇ କର୍ଣ୍ଣପାତ କରିନଥିଲା । ତେବେ ସୁଟିଂ ହୋଇଥିବା ଭିଡିଓରୁ ପୂଜାରାଣୀ ବୋଲି ୩୦ ତାରିଖ ସକାଳେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଅବଗତ ହୋଇଥିଲେ । ଘଟଣାକୁ ନେଇ ସେମାନେ ପୋଲିସ ସହାୟତା ୧୧୨କୁ ଜଣାଇଥିଲେ । ପରେ ଗଦି ଦମକଳ ବାହିନୀ ସମେତ ପୀରହାଟ ଓ ଘଣ୍ଟେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା । ସଂଧ୍ୟାରେ ମୃତା ଯୁବତୀଙ୍କ ପରିବାର ଲୋକେ ପୀରହାଟ ଥାନାରେ ଦ୍ୱାରସ୍ଥ ହୋଇ ମୃତଦେହ ଉଦ୍ଧାର କରିବା ସହିତ ମୃତ୍ୟୁ ପଛରେ ରହସ୍ୟ ଉନ୍ମୋଚନ କରିବାକୁ ଦାବୀ କରିଥିଲେ । ତେବେ ଆଇଆଇସି ରୋଜାଲିନୀ ବେହେରା ଘଟଣାକୁ ଗୁରୁତ୍ୱ ଭାବେ ଗ୍ରହଣ କରି ଶନିବାର ଓଡ୍ରାପ୍ଟ ଟିମ୍ ମାଧ୍ୟମରେ ଖୋଜି ବିଫଳ ହୋଇଛନ୍ତି ଏବଂ କୌଣସି ସ୍ଥାନରେ ଶବ ମିଳିଲେ ପୋଲିସକୁ ସୂଚନା ଦେବାକୁ ସେ ନିବେଦନ କରିଛନ୍ତି ।

