ନୂଆଦିଲ୍ଲୀ: ଚୀନର ଚାଲାକିକୁ ଭାରତର କଡ଼ା ଜବାବ । ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନୂଆ ନାଁକୁ ପ୍ରତ୍ୟାଖ୍ୟାନ କଲା ନୂଆଦିଲ୍ଲୀ । ଭାରତୀୟ ସୀମା ଭିତରେ ଥିବା ବିଭିନ୍ନ ସ୍ଥାନକୁ ଚୀନ ନିଜ ମନଇଚ୍ଛା “କାଳ୍ପନିକ ନାମ” ଦେବାକୁ ନେଇ ଭାରତ କଡ଼ା ଆପତ୍ତି ଜଣାଇଛି।
ଭାରତ ସ୍ପଷ୍ଟ କରିଛି, ଏଭଳି କାର୍ଯ୍ୟ କେବେବି ବାସ୍ତବତାକୁ ବଦଳାଇ ପାରିବ ନାହିଁ ଏବଂ ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ଖରାପ ହୋଇପାରେ। ଅରୁଣାଚଳ ପ୍ରଦେଶ ଏବଂ ଅକସାଇ ଚୀନ୍ ସମେତ ସମସ୍ତ ସୀମାବର୍ତ୍ତୀ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଚୀନ ପକ୍ଷରୁ କରାଯାଉଥିବା ଏହି “ନାମକରଣ ଖେଳ” ସମ୍ପୂର୍ଣ୍ଣ ଭିତ୍ତିହୀନ। ଚୀନ ମିଛ ଦାବି କରିବା ଛାଡ଼ି ସମ୍ପର୍କ ସୁଧାରିବା ଦିଗରେ ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ।
ନିକଟରେ ଚୀନ ଅରୁଣାଚଳ ପ୍ରଦେଶର କେତେକ ସ୍ଥାନ ପାଇଁ ଚାଇନିଜ୍ ନାଁ ଘୋଷଣା କରିଥିଲା । ଏହା ସହିତ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଆଫଗାନିସ୍ତାନ ସୀମା ନିକଟରେ ଚୀନ ନୂଆ ପ୍ରଶାସନିକ କାର୍ଯ୍ୟାଳୟ ଖୋଲୁଥିବା ରିପୋର୍ଟ ମଧ୍ୟ ଆସିଛି । ଭାରତ ଏହାକୁ କଡ଼ା ବିରୋଧ କରିଛି । ୨୦୨୦ରେ ଗଲୱାନ୍ ଘାଟିରେ ସଂଘର୍ଷ ପରଠାରୁ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି ।
ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଆଲୋଚନା ଚାଲିଥିବା ବେଳେ ଚୀନର ଏଭଳି ଅଦ୍ଭୂତ କାର୍ଯ୍ୟାକଳାପ ସନ୍ଦେହ ସୃଷ୍ଟି କରୁଛି । ଯେପର୍ଯ୍ୟନ୍ତ ସୀମାରେ ଶାନ୍ତି ଫେରିନାହିଁ ଏବଂ ଚୀନ ନିଜର ଏହି ମନମୁଖୀ କାର୍ଯ୍ୟ ବନ୍ଦ କରିନାହିଁ, ସେପର୍ଯ୍ୟନ୍ତ ଦୁଇ ଦେଶର ସମ୍ପର୍କ ସ୍ୱାଭାବିକ ହେବା କଷ୍ଟକର ଭାରତ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।

