ଭୁବନେଶ୍ୱର : ବଢୁଛି ଭୁବନେଶ୍ୱର, ବଢୁଛି ସମସ୍ୟା ! ଆଜି ୭୮ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତର ସହରୀ ସମସ୍ୟାର ସମ୍ମୁଖୀନ ହେଉଛି । ଦିନେ ଏକ ଯୋଜନାବଦ୍ଧ ସହର ଭାବେ ଗଢ଼ାଯାଇଥିବା ଭୁବନେଶ୍ୱର ଏବେ ତୀବ୍ର ଜନସଂଖ୍ୟା ବୃଦ୍ଧି ଓ ଅଭାବନୀୟ ଭିତ୍ତିଭୂମି ଚାପ ଦେଇ ଗତି କରୁଛି । ଟ୍ରାଫିକରୁ ପ୍ରଦୂଷଣ । ରାଜଧାନୀ ଆଗରେ ରହିଛି ୧୦ଟି ବଡ଼ ବିପଦ । ସହରରେ ୩ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି । ଫଳରେ ମୁଖ୍ୟ ଛକ ଗୁଡ଼ିକରେ ପ୍ରବଳ ଜାମ୍, ବେଆଇନ ପାର୍କିଂ ଏବଂ ଦୁର୍ଘଟଣା ବଢ଼ିବାରେ ଲାଗିଛି । ସହରରେ ଦୈନିକ ପ୍ରାୟ ୬୫.୫୦ ନିୟୁତ ଲିଟର ପାନୀୟ ଜଳର ଅଭାବ ରହିଛି ।
ଅନ୍ୟପଟେ ନର୍ଦ୍ଦମା ପାଣି ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଛି । ସାମାନ୍ୟ ବର୍ଷାରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହୁଛି । ଡ୍ରେନେଜ୍ ବ୍ୟବସ୍ଥାରେ ଅବରୋଧ ଯୋଗୁଁ ଏହି ସମସ୍ୟା ଜଟିଳ ହେଉଛି । ନିର୍ମାଣ କାମ ଓ ଗାଡ଼ି ମଟର ଯୋଗୁଁ ବାୟୁ ପ୍ରଦୂଷଣ ବଢୁଛି । ସହରରୁ ଗଛ ସଂଖ୍ୟା କମିଯିବାରୁ ଗରମ ବଢ଼ିବାରେ ଲାଗିଛି । ଚାଷ ଜମି ଓ ଜଳାଶୟକୁ ପୋତି ବେଆଇନ ନିର୍ମାଣ କରାଯାଉଛି, ଯାହା ସହରର ପ୍ରାକୃତିକ ସନ୍ତୁଳନ ବିଗାଡ଼ୁଛି । ଐତିହାସିକ ସ୍ଥଳ ଥାଇ ମଧ୍ୟ ସ୍ଥାନୀୟ ପରିବହନ ଓ ଉନ୍ନତମାନର ହୋଟେଲ ଅଭାବରୁ ପର୍ଯ୍ୟଟକମାନେ ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଛେପ ପକାଇବା ଏବଂ ଅଳିଆ ଆବର୍ଜନା ଏଣେତେଣେ ଫିଙ୍ଗିବା ଭଳି ଅଭ୍ୟାସ ସହରକୁ ସ୍ମାର୍ଟ କରିବାରେ ବାଧା ସୃଷ୍ଟି କରୁଛି । ବାତ୍ୟା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭଳି ବିପଦ ଭୁବନେଶ୍ୱର ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ ବିଭାଗ ମଧ୍ୟରେ ଠିକ୍ ତାଳମେଳ ରହୁନଥିବାରୁ ଅନେକ ପ୍ରକଳ୍ପ ସମୟରେ ଶେଷ ହୋଇପାରୁ ନାହିଁ । ସହରର ବିଭିନ୍ନ ସ୍ଥାନରେ ଅପରାଧ ବୃଦ୍ଧି ଏବଂ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଘଟଣା ସହରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

