ତିହିଡି,୧୦.୦୪: ଭଦ୍ରକ ଜିଲ୍ଲା ତିହିଡି ଥାନାର ନୂତନ ଆଇଆଇସି ଭାବେ ପ୍ରଥମ ମହିଳା ଲୋପାମୁଦ୍ରା ନାୟକ ଯୋଗଦାନ କରିଛନ୍ତି । ପୂର୍ବତନ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ଠାରୁ ଆନୁଷ୍ଠାନିକଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାରୁ ଠାରୁ ସେ କାର୍ଯ୍ୟ କରୁଛନ୍ତି । ସେ ବାସୁଦେବପୁର ଥାନାରେ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ପାରଛନ୍ତି । ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଓ ଖୁଣ୍ଟା ଥାନାରେ ଦୀର୍ଘ ଦିନଧରି ଆଇଆଇସି ଭାବେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ । ତିହିଡି ଥାନା ଅଞ୍ଚଳରେ ଚାଲିଥିବା ଅପରାଧ ଯଥା ଧଳା ଜହର, ଚୋରା ମଦ କାରବାର, ଚୋରା କୋଇଲା ଚାଲାଣକୁ ରୋକିବା ସହିତ ତାଳପଦାରେ ରନ୍ଧା ଦେଶୀ ମଦ ବନ୍ଦ କରିବା ଦିଗରେ ଦୃଢ ପଦକ୍ଷେପ ନେବେ ପ୍ରତିଶୃତିବଦ୍ଧ । ଏତତ୍ ବ୍ୟତିତ ତିହିଡି ସଦର ବଜାରରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାସହିତ ବେଧଡକ ଗାଡି ଚଳାଇ ଦୁର୍ଘଟଣା ଘଟାଉଥିବା ବାଇକ ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେସଙ୍ଗେ ଚୋରି, ଡକାୟତି, ରାହାଜାନି ଆଦି ଅପରାଧ ମୂଳକ କାର୍ଯ୍ୟକୁ ଦମନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଛନ୍ତି । ତେବେ ସେ ତିହିଡି ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ନେଇ ସର୍ବଦା ଦୃଷ୍ଟିଦେବେ ବୋଲି ସୂଚନା ଦେଇଛନ୍ତି । ଲୋପାମୁଦ୍ରାଙ୍କ ଯୋଗଦାନ ପରେ ତିହିଡିରେ ନୂତନ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ କବି ସାହିତ୍ୟିକ ମାନଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

