କରାଚୀ : ପାକିସ୍ତାନରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ କଡ଼ା ସୁରକ୍ଷା । ୧୦୦ରୁ ଅଧିକ ଗାଡ଼ି ମୁତୟନ। ସୁରକ୍ଷାକର୍ମୀଙ୍କ ଛାଉଣୀ । ଇସଲାମାବାଦରେ କାଲି ଶାନ୍ତି ଆଲୋଚନା । ଇରାନ ସହିତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ପାଇଁ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଶନିବାର ସକାଳେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚୁଛନ୍ତି ।
ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ଉଭୟ ଆମେରିକା ଓ ପାକିସ୍ତାନର ସୁରକ୍ଷା ଟିମ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାନ୍ସଙ୍କ ସୁରକ୍ଷା ପାଇଁ ୧୦୦ଟି ଗାଡ଼ି ମୁତୟନ କରାଯାଇଛି । ଏଥିରେ ରହିଛି ଗୁଳି ଓ ବୋମା ମାଡ଼ରୁ ସୁରକ୍ଷା ଦେଉ ପାରୁଥିବା ସ୍ୱତନ୍ତ୍ର ‘ଚେଭ୍ରୋଲେଟ୍ ସବର୍ବାନ୍’ ଗାଡ଼ି । ରିମୋଟ୍ ବୋମା ବିସ୍ଫୋରଣକୁ ରୋକିବା ପାଇଁ ସିଗ୍ନାଲ୍ କାଟିବା ଭଳି ଜାମର ଗାଡ଼ି । ଏହାସହ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ଚିକିତ୍ସା ଉପକରଣ ସଜ୍ଜିତ ଗାଡ଼ି ।
ଭାନ୍ସଙ୍କ ସହ ଆମେରିକାର ବରିଷ୍ଠ ପରାମର୍ଶଦାତା ଷ୍ଟିଭ୍ ୱିଟକୋଫ୍ ଏବଂ ଜାରେଡ୍ କୁଶନର୍ ମଧ୍ୟ ରହିବେ । ଏକ ବିଶାଳ ଆମେରିକୀୟ ବିମାନ C-17 ଗ୍ଲୋବମାଷ୍ଟର ଇସଲାମାବାଦରେ ଅବତରଣ କରି ସମସ୍ତ ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ପହଞ୍ଚାଇଛି । ଆମେରିକା ସିକ୍ରେଟ୍ ସର୍ଭିସ୍ ଓ ପାକିସ୍ତାନୀ ସୁରକ୍ଷା ବଳ ମିଳିତ ଭାବେ ଆକାଶମାର୍ଗ ଓ ସ୍ଥଳପଥ ଉପରେ ନଜର ରଖିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଇସଲାମାବାଦରେ ଅନେକ ସ୍ଥାନରେ ଟ୍ରାଫିକ୍ ପରିବର୍ତ୍ତନ କରାଯାଇଛି ଏବଂ ଭାନ୍ସ ଯିବାକୁ ଥିବା ରାସ୍ତାକୁ ଗୁପ୍ତ ରଖାଯାଇଛି । ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ ଲେଭିଟ୍ କହିଛନ୍ତି, ଜେଡି ଭାନ୍ସ ହେଉଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତି ବିଶ୍ୱସ୍ତ । ଇରାନ ସହ ସଂଘର୍ଷ ପରେ ଏବେ ଏକ ସ୍ଥାୟୀ ଶାନ୍ତି ଚୁକ୍ତି କରିବା ପାଇଁ ଆମେରିକା ପ୍ରାଥମିକତା ଦେଉଛି । ସାରା ବିଶ୍ୱ ଏବେ ଏହି ଶାନ୍ତି ଆଲୋଚନାର ଫଳାଫଳକୁ ଅପେକ୍ଷା କରିଛି ।

