ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବିମାନ ନିକଟରେ ହଙ୍ଗାମା, ଡ୍ରୋନ୍ ନା ଆଉ କିଛି ? ଫ୍ଲୋରିଡାର ପାମ୍ ବିଚ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଧରଣର ସୁରକ୍ଷା ଆଲର୍ଟ ଜାରି । ସେହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ଏୟାର ଫୋର୍ସ ୱାନ’ ବିମାନ ସେଠାରେ ପାର୍କିଂ ହୋଇ ରହିଥିଲା । ପ୍ରଥମେ ନିଷିଦ୍ଧ ଆକାଶ ମାର୍ଗରେ ଗୋଟିଏ ‘ଡ୍ରୋନ୍’ ପ୍ରବେଶ କରିଥିବାର ଖବର ଆସିଥିଲା । ପରେ ସଙ୍ଗେ ସଙ୍ଗେ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦିଆଗଲା । ସୁରକ୍ଷା ପାଇଁ ହେଲିକପ୍ଟର ଓ F-16 ଫାଇଟର ଜେଟ୍ ଆକାଶକୁ ପଠାଗଲା । ଅଜଣା ବିମାନକୁ ଚେତାବନୀ ଦେବା ପାଇଁ ଫାଇଟର ଜେଟ୍ ରୁ ବାୟୁମଣ୍ଡଳକୁ ଗୁଳି ଛଡ଼ାଯାଇଥିଲା ।
ତଦନ୍ତ ପରେ ଜଣାପଡ଼ିଲା ଏହା କୌଣସି ଡ୍ରୋନ୍ ନଥିଲା । ଏକ ଛୋଟ ନାଗରିକ ବିମାନ ଭୁଲ୍ ବଶତଃ ସେହି ନିଷିଦ୍ଧ ଅଞ୍ଚଳ ଭିତରକୁ ପଶି ଆସିଥିଲ । F-16 ଜେଟ୍ ଗୁଡ଼ିକ ସେହି ବିମାନକୁ ଅଟକାଇ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଆଣିଥିଲେ । ଘଟଣା ବେଳେ ଟ୍ରମ୍ପ ନିଜର ଗଲ୍ଫ କ୍ଲବରେ ଥିଲେ। ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଓ ତାଙ୍କ ପ୍ରତି କୌଣସି ବିପଦ ନଥିବା କଥା ଆମେରିକା ସିକ୍ରେଟ୍ ସର୍ଭିସ୍ ସ୍ପଷ୍ଟ କରିଛି । ଘଟଣା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଆକାଶ ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

