ତିହିଡି,୩୦.୦୩: ଦ୍ୱିପାକ୍ଷିକ ଆଲୋଚନା ହେବା ଇତିମଧ୍ୟରେ ୪ ମାସ ବିତିଗଲାଣି । ଆଲୋଚନାରେ ବସ ମାଲିକ ସଂଘ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା ତାହା ପୂରଣ କଲେ ନାହିଁ । ଫଳରେ ଆସନ୍ତା ୩୧ ତାରିଖଠାରୁ ତିହିଡ଼ି ଠାରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସରୋକ କରାଯିବ ବୋଲି ସମସ୍ତ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଛିି । ଗତ ନଭେମ୍ବର ମାସ ୨୩ ତାରିଖରେ ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ତିହିଡ଼ି ଜନସାଧାରଣ ଓ ବସ ମାଲିକ ସଂଘ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଅଧିକ ବସ ଭଡ଼ା ଆଦାୟ କରାଯାଉଛି ଓ ଯାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବା ନେଇ ଆଲୋଚନା ହୋଇଥିଲା । ବସ ଗୁଡ଼ିକ କେଉଁ ଶ୍ରେଣୀର ତାହା ମଧ୍ୟ ଉଲ୍ଲେଖ ହେଉନାହିଁ ବୋଲି ଅଭିଯୋଗ ହୋଇଥିଲା । ତେବେ ଆଲୋଚନା ପରେ ଦୁଇଦିନ ଭିତରେ ସମସ୍ତ ବସରେ ବସ କେଉଁ ଶ୍ରେଣୀର ଲେଖାଥିବା ଭଡ଼ା ତାଲିକା ଯାତ୍ରୀ ପଢ଼ିପାରିବା ପରି ବଡ଼ ଅକ୍ଷରରେ ଓ ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ବସ ଭିତରେ ମରାଯିବ ବୋଲି ବସ ମାଲିକ ସଂଘର ସଭାପତି ଶ୍ରୀନିବାସ ପତି, ଯୁଗ୍ମ ସମ୍ପାଦକ ନିଶିକାନ୍ତ ପଣ୍ଡା, ସଭ୍ୟ ବାର୍ଥ ଖାଁ ଓ ଇମତିଆଜ ଖାଁ ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ବସ ଷ୍ଟାଫ ଯାତ୍ରୀଙ୍କୁ ଦୁର୍ବବ୍ୟହାର କଲେ ତୁରନ୍ତ ତାହା ବସ ମାଲିକ ସଂଘ ଦୃଷ୍ଟିକୁ ଆଣିବାକୁ ମଧ୍ୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା । ଯଦି କୌଣସି ବସ ଅଧିକ ଭଡ଼ା ଆଦାୟ କରନ୍ତି ବା ରେଟ ଚାର୍ଟ ନ ମାରନ୍ତି ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଭଦ୍ରକରୁ ବସ ଆସିବା ସମୟରେ ମହିଳା ଓ ବରିଷ୍ଠ ନାଗରିକମାନଙ୍କୁ ସିଟ ଦେବାପାଇଁ ସଂଘ ପ୍ରତିଶ୍ରୁତି ପ୍ରଦାନ କରିଥିଲା । ବିଡ଼ମ୍ବନାର କଥା ହେଉଛି, ପ୍ରତିଶ୍ରୁତିତ ପାଳନ କରାଗଲା ନାହିଁ, ଅଧିକ ଭଡ଼ା ଆଦାୟର ପ୍ରତିବାଦ କରୁଥିବା ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦିଆଯାଉଛି । ଚାନ୍ଦବାଲି ଯାଉଥିବା ଜନୈକ ଦମ୍ପତ୍ତିିକୁ କଣ୍ଡକ୍ଟର ରାସ୍ତାରେ ଓହ୍ଲାଇଦେବା ଘଟଣାକୁ ନେଇ ପ୍ରାୟ ଏକ ସପ୍ତାହ ତଳେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ଏହାର ପ୍ରତିବାଦରେ ୩୧ ତାରିଖରେ ବସରୋକ କରାଯିବ ବୋଲି ତିହିଡ଼ି ଜନସାଧାରଣଙ୍କ ପକ୍ଷରୁ ବିଷ୍ଣୁଚରଣ ଦାଶ, ରାଜକିଶୋର ଲେଙ୍କା, ସତ୍ୟବ୍ରତ କୁଣ୍ଡ, ନିର୍ମଳ ଚନ୍ଦ୍ର ଦଳେଇ, ପୁରସ୍ତମ ସାହୁ, ମନମୋହନ କୁଣ୍ଡ ପ୍ରମୁଖ ଜିଲାପାଳଙ୍କୁ ଏ ନେଇ ପ୍ରାକ୍ ସୂଚନା ପ୍ରଦାନ କରିଛନ୍ତି ।

