ତିହିଡି, ୧୫.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଶ୍ରୀରାମଙ୍କ ବିଜୟା ଦଶମୀ ପାଳନ ଉପଲକ୍ଷେ ରବିବାର ସକାଳେ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ ଜରିଆରେ ରାଷ୍ଟ୍ରୀୟ ଏକତା ଓ ଭାଇଚାରା ସମ୍ପର୍କର ସେତୁ ବାନ୍ଧିବାର ଲକ୍ଷ୍ୟ ରହିଛି । ଶ୍ରୀରାମ ନବମୀ ସମିତି ପକ୍ଷରୁ ଏହା ଥିଲା କାର୍ଯ୍ୟକ୍ରମର ଶୁଭାରମ୍ଭ । ପ୍ରଥମେ ବଡଗାଲୋସ୍ଥିତ ମନ୍ଦିର ନିକଟରେ ଭଦ୍ରକ ଜିଲ୍ଲା ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ ନଡିଆ ପିଟି ଶୁଭାରମ୍ଭ କରିଥିଲେ । ଏହି ଗଣଦୌଡରେ ଶତାଧିକ ବ୍ୟକ୍ତି ଯୋଗଦେଇ ବଜାର ପରିକ୍ରମା କରିଥିଲେ । ଶେଷରେ ତହସିଲ ପରିସରରେ ଥିବା ହନୁମାନ ମନ୍ଦିରରେ ପହଁଞ୍ôଚ ପୂଜାର୍ଚ୍ଚନା କରିଥିଲେ । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର ନାୟକ, ସମ୍ପାଦକ ଯଯାତିକେଶରୀ ଦାସ, କୋଷାଧ୍ୟକ୍ଷ ନିଳମଣି ସାବତ, ଶୁଭ୍ରନାରାୟଣ ସେଠୀ, ସୀତାକାନ୍ତ ନାୟକ, ରଘୁନାଥ ପାତ୍ର, ବିଶ୍ୱଜିତ ବେହେରା, ଶୁକଦେବ ମଳିକ, କେଶବ ବେହେରା, ପି. ହୃଷିକେଶ, ସରୋଜ ନାୟକ, ଦୀପକ ସ୍ୱାଇଁ, ବୁଦ୍ଧିରାମ ସେଠୀ, ନିଶିକାନ୍ତ ଭଟ୍ଟରାୟ, ଜ୍ୟୋର୍ତିମୟ ପାଣ୍ଡବ, ରାଜୀବ ନାୟକ, ଅଭିରାମ ଦାସ, ସଞ୍ଜୟ ମହାନ୍ତି, ପ୍ରିୟବନ୍ଧୁ ମାଝୀ, ମନୋଜ ସେନାପତି, ପ୍ରତାପ ଜେନା, ଦୟାନିଧି ସାହୁ, ଜୟପ୍ରକାଶ ବେହେରା, ଗଣେଶ କର, ହରିଶ୍ଚନ୍ଦ୍ର ନାୟକ, ତପନ ପଣ୍ଡା, ଅଜୟ ନାୟକ ଓ ରାଜେଶ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ଆସନ୍ତା ୧୯ ତାରିଖରେ ଗୁଆମଙ୍ଗଳା ଓ ରାମାୟଣ ପାଠ, ୨୦ରେ ଜଗନ୍ନାଥଙ୍କ ପୂଜା, ବାଇକ୍ ଶୋଭାଯାତ୍ରା, ୨୧ରେ ୧୦୮ ହନୁମାନ ଚାଳିଶା ପାଠ, ୨୨ରେ ବସୁଦେବ କୁଟୁମ୍ବବଙ୍କ ପୂଜା, ବାଲ ବଜରଙ୍ଗି ସାଇକେଲ ଶୋଭାଯାତ୍ରା, ୨୩ରେ ଗୁରୁନାରାୟଣୀ ପୂଜା, ୨୪ରେ ବରୁଣ ଓ ପାଶ୍ୱର୍ ଦେବାଦେବୀ ପୂଜା, ୨୫ରେ ସପ୍ତମାତୃକା ପୂଜା, ୨୬ରେ କଳସ ଶୋଭାଯାତ୍ରା ଓ ଅଷ୍ଟମୀ ପୂଜା, ୨୭ରେ ନବମୀ ପୂଜା ଏବଂ ୨୮ରେ ମହାଦଶମୀ ପୂଜା ସହିତ ବିଶାଳ ନଗର ସଂକିର୍ତ୍ତନ ଓ ବିଜୟା ଦଶମୀ ମହୋତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ବିଭିନ୍ନ ଗାଁଗଣ୍ଡାରୁ ୫୨ଟି ପ୍ରଜ୍ଞାପନ ମେଢ ମହୋତ୍ସବରେ ସାମିଲ ହେବ ବୋଲି ଜଣାଯାଇଛି । ଏଠାରେ ସୂଚନା ଥାଉକି, ପବିତ୍ର ଶ୍ରୀରାମ ନବମୀରେ ଭଦ୍ରକରେ ଜିଲ୍ଲା ସ୍ତରୀୟ ଶ୍ରୀରାମ ନବମୀ ପାଳନ କରା ଯାଇଥାଏ । ସେଦିନ ବିଭିନ୍ନ ପ୍ରାନ୍ତରରୁ ଶତାଧିକ ପ୍ରଜ୍ଞାପନ ମେଢ ଭଦ୍ରକ ଅଭିମୁଖେ ବାହାରି ଥାଆନ୍ତି । ଦିନ ଓ ରାତିତମାମ ଏହା ଧୂମଧାମରେ ପାଳନ ହୋଇଥାଏ । ଏହାର ଠିକ୍ ପରଦିନ ତିହିଡିରେ ବିଜୟା ଦଶମୀ ମହୋତ୍ସବ ବିଗତ ଏଗାର ବର୍ଷ ଧରି ପାଳନ ହୋଇ ଆସୁଅଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

