ତିହିଡି – ବ୍ୟାଙ୍କ ଭିତରେ ମହାଭାରତ। ଏଚଡିଏଫସି ବ୍ୟାଙ୍କର କର୍ମଚାରୀ କରିଥିବା ସୁନା ଠକେଇ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଠକେଇର ଶିକାର ହୋଇଥିବା ପଞ୍ଚାନନ ସାହୁ ଏବଂ ପରିବାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ଏଚଡିଏଫସି ବ୍ୟାଙ୍କ ଚାନ୍ଦବାଲି ଶାଖାର ମ୍ୟାନେଜର ଏବଂ ସୁନା ଋଣ ବିଭାଗର ପ୍ରଦୀପ ଓଝାଙ୍କ ପ୍ରରୋଚନାରେ ଠକେଇର ଶିକାର ହୋଇଛନ୍ତି ଚାନ୍ଦବାଲି ଅଞ୍ଚଳର ବ୍ୟବସାୟୀ ପଞ୍ଚାନନ ସାହୁ। ସୂଚନା ଅନୁସାରେ ବିଭିନ୍ନ ସମୟରେ ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଇଥାନ୍ତି। ପରେ କେତେକ ସ୍ଥଳରେ କୌଣସି କାରଣରୁ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନାକୁ ନନେଇ ପାରିଲେ ବ୍ୟାଙ୍କ ଏହାର ନିଲାମ କରିଥାଏ l ତେବେ ଏଚଡିଏଫସି ବ୍ୟାଙ୍କ ଚାନ୍ଦବାଲି ଶାଖାରେ ସୁନା ଋଣ ବିଭାଗରେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ଓଝା ବନ୍ଧକ ସୁନା ନିଲାମ ହେବା ନେଇ ସୁନା ବ୍ୟବସାୟୀ ପଞ୍ଚାନନ ସାହୁଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ପରେ ପଞ୍ଚାନନ ସାହୁ ଉକ୍ତ ସୁନାର ବ୍ୟାଙ୍କ ସ୍ଥିରୀକୃତ ମୂଲ୍ୟ ଆଠ ଲକ୍ଷ ବୟାନବେ ହଜାର ଛଅଶହ ନବେ ଟଙ୍କା ପୈଠ କରି ସୁନାକୁ ନେଇଥିଲେ l ପୂର୍ବରୁ ପଞ୍ଚାନନ ଏହି ବ୍ୟାଙ୍କରୁ ଦୁଇ ଥର ନିଲାମ ସୁନା ନେଇଥିବାରୁ ବିଶ୍ୱାସରେ କୌଣସି ପରୀକ୍ଷଣ ନକରି ସୁନା ଅଳଙ୍କାର ନେଇ ନିଜ ସୁନା ଦୋକାନରେ ଏହାକୁ କାଟିବା ପରେ ଜଣା ପଡିଥିଲା ଏହି ସୁନା ନକଲି, ରୁପା ଉପରେ ସୁନା କୋଟିଂ କରାଯାଇ ଏହି ଅଳଙ୍କାର ଦିଆ ଯାଇଥିଲା l ଗତ ଡିସେମ୍ବର ୨୬ ତାରିଖରୁ ଏହି ଘଟଣା ଘଟିଥିଲେ ସୁଦ୍ଧା ବାରମ୍ବାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଖକୁ ଦୌଡ଼ି ଦୌଡ଼ି କୌଣସି ସୁଫଳ ନ ମିଳିବାରୁ ଆଜି ପଞ୍ଚାନନ ଏବଂ ତାଙ୍କ ପରିବାର ବ୍ୟାଙ୍କରେ ପହଞ୍ଚି ମ୍ୟାନେଜରଙ୍କୁ ଖୋଜିଥିଲେ l ପୂର୍ବରୁ ଖବର ପାଇ ମ୍ୟାନେଜର ବ୍ୟାଙ୍କରୁ ପଳାଇ ଯାଇଥିବା ଜାଣି ବ୍ୟାଙ୍କ ବନ୍ଦ କରିବା ସହ ବ୍ୟାଙ୍କ ସମ୍ମୁଖରେ କିଛି ସମୟ ଧାରଣାରେ ବସିଥିଲେ ଠକେଇ ଶିକାର ହୋଇଥିବା ପରିବାର l ତେବେ ଏ ବାବଦରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଧାରଣ ଲୋକଙ୍କୁ ଠକେଇ କରୁଥିବା ଏଚଡିଏଫସି ବ୍ୟାଙ୍କର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବୀ କରିଛନ୍ତି ପଞ୍ଚାନନ ସାହୁ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

