କୋଟପାଟ: କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର , ଏହି ଉକ୍ତି କୁ ସତ୍ୟ ପ୍ରମାଣିତ କରିଛନ୍ତି ସଫଳ ଅନେକ ମହିଳା ଚାଷୀ । ତେଣୁ ଆଜିକାଲିର ମହିଳାମାନେ ଚାରି କାନ୍ଥ ଭିତରେ ନରହି, ଆତ୍ମନିର୍ଭରଶୀଳ ହୋଇ ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେମାନେ ସବୁ କ୍ଷେତ୍ରରେ ନିଜର ଉପସ୍ଥିତିକୁ ଜାହିର ମଧ୍ୟ କରୁଛନ୍ତି । ତେଣୁ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ନୁଆଗୁଡା ଗାଁର ଆଦିବାସୀ ମହିଳାମାନେ ବିଭିନ୍ନ ପ୍ରକାରର ଛତୁ ଚାଷ କରି ଆତ୍ମ ନିର୍ଭରଶୀଳ ହୋଇଛନ୍ତି ।
ବର୍ଷ ତମାମ୍ ଡିଙ୍ଗିରି ଛତୁ, ପାଳ ଛତୁ ଭଳି ବିଭିନ୍ନ ପ୍ରକାରର ଛତୁ ଅମଳ କରୁଛନ୍ତି ମହିଳା l ଛତୁଚାଷ ଏକ ଲାଭଦାୟକ ଚାଷ । କମ୍ ସମୟ, କମ୍ ପରିଶ୍ରମ ଓ କମ୍ ଖର୍ଚ୍ଚରେ ଅଧିକ ରୋଜଗାର ମିଳୁଥିବାରୁ ଏହାକୁ ଆପଣାଇଛନ୍ତି ଗାଁ ମହିଳା । କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ନୁଆଁଗୁଡା ଗାଁର “ମହିଳା ସ୍ୱୟଂ ସହାୟକ ଗ୍ରୁପର” ଆଦିବାସୀ ମହିଳାମାନେ ଛତୁ ଚାଷ କରି ଲାଭବାନ ହୋଇଛନ୍ତି । ପ୍ରଥମେ ସରକାରଙ୍କ ତରଫରୁ କିଛି ଋଣ ମିଳିବା ପରେ ଗାଁର ୧୪ଜଣ ମହିଳା ମିଶି ୧୦ ବର୍ଷ ପୂର୍ବେ ଏହି ଚାଷ ଆରମ୍ଭ କରିଥିଲେ । ଅମଳ ଛତୁକୁ କୁନ୍ଦୁରା ବ୍ଲକ ଓ ବ୍ଲକ ବାହାରେ ବିକ୍ରି କରୁଛନ୍ତି ମହିଳା । ଏମିତି କି ମହିଳାଙ୍କ ଛତୁ ଫାର୍ମ ନିକଟକୁ ଆସି କିଣି ନେଉଛନ୍ତି ସ୍ଥାନୀୟ ବାସିନ୍ଦା ।
ଛତୁ ଚାଷ ପାଇଁ ଛତୁ ମଞ୍ଜି ଓ ନଡ଼ାର ଆବଶ୍ୟକତା ଥାଏ । ନଡ଼ାକୁ ଛୋଟ ଛୋଟ କରି କାଟିବା ପରେ ପାଣିରେ ଭିଜାଇ ରଖିବାକୁ ପଡିଥାଏ । ପାଣି ନିଗାଡ଼ିବା ପରେ ଛତୁ ମଞ୍ଜି ଦେଇ ବେଡ଼ ପକାଇ ଏହାକୁ ପଲିଥିନ ମଧ୍ୟରେ ରଖାଯାଏ । ମଞ୍ଜି ପକାଇବାର ୨୫ ଦିନ ପରେ ଛତୁ ଅମଳ ହୋଇଥାଏ । ମାସକୁ ପ୍ରାୟ ଏକ କୁଇଣ୍ଟାଲ ଛତୁ ଅମଳ ହୋଇଥାଏ । ମିଶନ ଶକ୍ତି ତରଫରୁ ମହିଳାଙ୍କୁ ଏକ ଘର ଯୋଗାଇ ଦିଆଯାଇଛି ସେଠାରେ ଅମଳ କରୁଛନ୍ତି ମହିଳା । ବଜାର ପରିବର୍ତ୍ତେ ଏହି ଗାଁରୁ ଛତୁ କିଣୁଛନ୍ତି ଲୋକେ, ତେଣୁ ଲାଭବାନ ହେଉଛନ୍ତି ମହିଳାମାନେ ।
ଛତୁଚାଷ ଆରମ୍ଭ କରି ଭଲ ରୋଜଗାର ହେବାରୁ ଆଉ ପଛକୁ ଫେରି ନାହାନ୍ତି ଏମାନେ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି, ନିଜେ ଆତ୍ମ ନିର୍ଭରଶୀଳ ହୋଇ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛନ୍ତି ।

