ତିହିଡି, ୧୮.୦୨: ଟୋକନ୍ ଲାପ୍ସ ହେବାର ସମ୍ଭାବନାକୁ ନେଇ ଚାଷୀଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ଦେଖା ଦେଇ ଆସୁଛି । କେଉଁଠି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ତ ଆଉ କେଉଁଠି ମଣ୍ଡିରେ ହୋହାଲ୍ଲା କରୁଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ କିଣା ନହେଲେ ପରିସ୍ଥିତି ଭୟାବହ ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଥିଲା । ସେପଟେ ରାଜନୈତିକ ବିଦ୍ରୋହ ସୃଷ୍ଟି ହୋଇଥିଲା । ବାମପନ୍ଥୀ, କୃଷକ ସଂଗଠନ, କଂଗ୍ରେସ ଏପରିକି ବିରୋଧି ଦଳ ବିଜେଡି ମଧ୍ୟ ଧାନ ମଣ୍ଡିକୁ ନେଇ ରଣହୁଙ୍କାର ଦେଇଥିଲେ । ଏପରି ସ୍ଥଳେ ଜିଲ୍ଲାପାଳ ଧାନ ମଣ୍ଡିରେ ପହଁଞ୍ôଚ ଚାଷୀଙ୍କ ଆସ୍ୱାସନା ଦେଇଥିବା ଜଣାଯାଇଛି । ତିହିଡି ବ୍ଲକର ୫ଟି ଧାନମଣ୍ଡିକୁ ଜିଲାପାଳ ଟୋକନ କଟିବନି, ଧାନ କିଣା ଚାଲିବ, ମିଲର ଧାନ ଉଠା ଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କ ଏହି କଥା ଶୁଣିବାପରେ ଉପସ୍ଥିତ ଚାଷୀମାନେ ଆଶ୍ୱସ୍ତ ହୋଇଥିବା ଜଣାଯାଇଛି । ପ୍ରଥମେ ମଙ୍ଗଳପୁର ସମିତି ଧାନମଣ୍ଡିରେ ପହଂଚି ସେଠାରେ ପାହାଡ଼ ସଦୃଶ ଜମା ହୋଇଥିବା ଧାନ ବସ୍ତାକୁ ଦେଖିଥିଲେ । ସମିତି ସମ୍ପାଦକ ଶଙ୍କର୍ଷଣ ଜେନାଙ୍କୁ ସମସ୍ୟା ସମ୍ପର୍କରେ ଜିଲାପାଳ ପଚାରିବା ପରେ ମିଲରମାନେ ସହଯୋଗ କରୁନଥିବା ସେ କହିଥିଲେ । ମିଲରମାନଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ସେମାନେ ମଣ୍ଡିରୁ ଧାନ ଉଠାଇବେ ଜିଲାପାଳ କହିଥିଲେ । ପରେ ଜିଲାପାଳ ସିନ୍ଦୋଳସ୍ଥିତ ଲଷ୍ମୀନାରାୟଣ ଏସଏଚଜି ଧାନ ମଣ୍ଡି, ବାମନବିନ୍ଧା, ଚାରିତରଫ ସମିତି ଓ ହରସିଂହପୁରର ସରସ୍ୱତୀ ଏସଏଚଜିର ଧାନମଣ୍ଡି ବୁଲିଥିଲେ । ସମସ୍ତ ମଣ୍ଡିରେ ଧାନ ବସ୍ତାସବୁ ବାହାରେ ଖରା କାକରରେ ଗଦା ହୋଇଥିବା ଜିଲାପାଳ ଦେଖିବାକୁ ପାଇଥିଲେ । ବାମନବିନ୍ଧା ସମିତି ସମ୍ପାଦକ ପ୍ରଭାତ ବେହେରା, ସଭାପତି ରାଜେନ୍ଦ୍ର ଦାସ, ପୂର୍ବତନ ସମିତି ସଭାପତି ସଂଗ୍ରାମ ମହାନ୍ତି ଓ ଉପସ୍ଥିତ ଚାଷୀଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ । ବାହାରେ ଗଦା ହୋଇଥିବା ଧାନ ବସ୍ତାସବୁକୁ ଚାଷୀମାନେ ପାଳି କରି ଜଗୁଥିବା କହିଥିଲେ । ମିଲରମାନଙ୍କ ବିରୁଦ୍ଧରେ ବିଷୋଦଗାର କରିବା ସହ ସେମାନଙ୍କ ମନମାନି ଯୋଗୁଁ ଚାଷୀମାନେ ଦୁର୍ଦ୍ଦଶା ଭୋଗି ଚାଲିଥିବା ଦର୍ଶାଇଥିଲେ । କେତେକ ଚାଷୀ ସେମାନଙ୍କ ଟୋକନ୍ ଅବଧି ସାରିବାକୁ ଥିବା କହିବାରୁ କୌଣସି ଚାଷୀଙ୍କ ଟୋକନ୍ କଟିବନି ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ଉଠାଯିବା କାର୍ଯ୍ୟ ଶେଷ ହେବ ବୋଲି ସେ କହିଥିବା ଜଣାଯାଇଛି । ଚାରିତରଫ ସମିତିରେ ସମ୍ପାଦକ ମନୋରଞ୍ଜନ ବଳ ଓ ସଭାପତି ବସନ୍ତ ନୀୟକ, କମିଟି ସଦସ୍ୟ ସୁଦର୍ଶନ ସ୍ୱାଇଁ, ସିନ୍ଦୋଳ ଲଷ୍ମୀନାରାୟଣ ମହିଳା ଗୋଷ୍ଠୀରେ ସଭାନେତ୍ରୀ ସୁକାନ୍ତି ବାରିକ ସମ୍ପାଦିକା ସ୍ୱର୍ଣ୍ଣ ଲତା ବାରିକ ଚାଷୀ ସରୋଜ ନାୟକ ଓ ଦେବେନ୍ଦ୍ର ମହାନ୍ତି ହରସିଂହପୁର ମା ସରସ୍ୱତୀ ମହିଳା ଗୋଷ୍ଠୀର ସଭାନେତ୍ରୀ ଅର୍ଣ୍ଣପୂର୍ଣ୍ଣା ସାହୁ ସମ୍ପାଦିକା ଆରତୀ ଦାସ ଉପସ୍ଥିତଥିଲେ । ସୂଚନା ଥାଉକି, ତିହିଡି ବ୍ଲକ ବ୍ଲକ ଅଧୀନ ୨୦ଟି ମଣ୍ଡିରେ ଲକ୍ଷାଧିକ କୁଇଣ୍ଟାଲ ଧାନ ପଡି ରହିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

