ଭବିଷ୍ୟତ ଗଢ଼ିବାକୁ ଦୃଢ଼ ସଙ୍କଳ୍ପ ଆବଶ୍ୟକ — ବିଧାୟକ କୃଷ୍ଣଚନ୍ଦ୍ର ନାୟକ
ଛତ୍ରପୁର, ୦୨|୦୨ (ନିପ୍ର):
ଗଞ୍ଜାମ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ କଲେଜ ପରିସରରେ ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡ଼ଃ ସ୍ମରଣିକା ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ।
ତାଙ୍କ ଭାଷଣରେ ବିଧାୟକ ନାୟକ କହିଥିଲେ ଯେ, ଜୀବନରେ ସଫଳତା ଲାଭ କରିବା ପାଇଁ ଲକ୍ଷ୍ୟ ସ୍ପଷ୍ଟ ରହିବା ଅତ୍ୟନ୍ତ ଆବଶ୍ୟକ। ଦୃଢ଼ ସଙ୍କଳ୍ପ, ଆତ୍ମନିର୍ଭରଶୀଳତା ଏବଂ ଦେଶସେବାକୁ ପ୍ରାଥମିକତା ଦେଇ ଛାତ୍ରସମାଜ ନିଜ ଭବିଷ୍ୟତ ଗଢ଼ିବାକୁ ସେ ଆହ୍ୱାନ ଜଣାଇଥିଲେ।
ଉତ୍ସବର ବରଣ୍ୟ ଅତିଥି ଭାବେ ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ଯୋଗଦେଇ ତାଙ୍କ ଉଦ୍ବୋଧନରେ ଗଞ୍ଜାମ ମହାବିଦ୍ୟାଳୟର ଶିକ୍ଷାତ୍ମକ ପରମ୍ପରା ଓ ଐତିହ୍ୟକୁ ସ୍ମରଣ କରିଥିଲେ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ିଉଠିବାକୁ ସେ ଆହ୍ୱାନ ଜଣାଇଥିଲେ।
ମୁଖ୍ୟବକ୍ତା ଭାବେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ଅଧ୍ୟାପକ ତଥା ପୂର୍ବତନ ଉପ-ସଚିବ ଡ଼ଃ କୁଳମଣି ଓଝା ଉପସ୍ଥିତ ରହି ଛାତ୍ରଜୀବନର ମୂଲ୍ୟବୋଧ ଓ ନୀତିଶିକ୍ଷା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ ସମେତ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ।
ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ନୀତିମୂଲ୍ୟ ଅନୁସରଣ କରି ସୁନାଗରିକ ଭାବେ ଗଢ଼ିଉଠିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପିକା ବାଇରୀ ଦେବୀ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଅଧ୍ୟାପକ ଶ୍ରୀଧର ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା।

