ତିହିଡି- ଗ୍ରାମାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ଦୃଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟ ନେଇ ତିହିଡ଼ିର ଅଗ୍ରଣୀ ସାମାଜିକ ସଂଗଠନ ତିହିଡ଼ି ଯୁବମଞ୍ଚ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ ସଂଗଠନର ଉପଦେଷ୍ଟା ସଚିକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସଂଗଠନର ସଭାପତି କୈଳାସ ବେହେରା, ସମ୍ପାଦକ ନିରଞ୍ଜନ ବାରିକ, ଉପସଭାପତି ପ୍ରିୟବ୍ରତ ପାଢ଼ୀ ଏବଂ ସଂଯୋଜକ ତଥା ଆଇନଜୀବି ନୀଳମାଧବ ସେନାପତି ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଭୂମିକା ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଚକ୍ଷୁ ଚିକିତ୍ସକ ମୁକ୍ତିକାନ୍ତ ନାୟକ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ସେମାନଙ୍କୁ ପାରାମେଡିକାଲ ସ୍ୱାସ୍ଥ୍ୟ କର୍ମୀ ଅର୍ପିତା ବାରିକ ଓ ଲକ୍ଷ୍ମୀ ପ୍ରିୟା ରାଉତ, ଅଭିଜିତ ବେହେରା ପ୍ରମୁଖ ଚକ୍ଷୁ ପରୀକ୍ଷା ଏବଂ ରୋଗୀଙ୍କୁ ସହାୟତା କରିଥିଲେ। ଶିବିର ପରିଚାଳନାରେ ଯୁବମଞ୍ଚର ସଦସ୍ୟ ରେଣୁବାଳା ନାଥ, ଅଲେଖ ବଳ ଓ ସନାତନ ସାହୁ, ସାକିରୁଦିନ ଖାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ମୋଟ ୪୮ ଜଣ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ରୋଗୀଙ୍କଠାରେ ମୋତିଆବିନ୍ଧୁ ସମସ୍ୟା ଚିହ୍ନଟ କରାଯାଇଛି। ସଂଗଠନ ପକ୍ଷରୁ ଏହି ୧୨ ଜଣଙ୍କର ଅସ୍ତ୍ରୋପଚାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ

