ପାଳିଆବିନ୍ଧା କଲେଜରେ ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର।
ତିହିଡ଼ି- ଭଦ୍ରକ ଜିଲ୍ଲା ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜ୍ଜନ (ବିଏନ୍ଏମ୍ଏ) କଲେଜ ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆନୁକୁଲ୍ୟରେ ‘ଉତ୍ତର ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧ୍ୟଯୁଗୀୟ ଓ ବ୍ରିଟିଶ ଶାସନ ସମୟର ସ୍ବାଧୀନତା ଆନ୍ଦୋଳନରେ ଉତ୍ତର ଓଡ଼ିଶାର ଯୋଗଦାନକୁ ଆଧାର କରି ସଂସ୍କୃତି ଓ ପ୍ରତ୍ନତାତ୍ତ୍ୱିକ ଗବେଷଣା ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରି ସ୍ଥାନୀୟ ଇତିହାସର ପୃଷ୍ଠଭୂମିରେ ଗୋହିରାଟିକିରି ଯୁଦ୍ଧ, ଇଞ୍ଚୁଡି ସତ୍ୟାଗ୍ରହ, ରକ୍ତତୀର୍ଥ ଇରମ ତଥା ଲୁଣିଆର ସ୍ବାଧୀନତା ଆନ୍ଦୋଳନ, ମୋଗଲ, ମରାଠା ଓ ବ୍ରିଟିଶର୍ସ ସଂଗ୍ରାମ ଶାସନକାଳୀନ ବିବରଣୀ ପ୍ରଦାନ କରିଥିଲେ। ଇନଷ୍ଟିଚ୍ୟୁଟ୍ ଅଫ୍ ମାରିଟାଇମ୍ ଆଣ୍ଡ ସାଉଥ୍ ଇଷ୍ଟ ଏସିଆନ ଷ୍ଟଡ଼ିଜର ନିର୍ଦ୍ଦେଶକ ଡ. ସୁନୀଲ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ତର ଓଡ଼ିଶାର ସମୃଦ୍ଧ ଐତିହ୍ୟ ଉପରେ ବିଶଦ ଆଲୋକପାତ କରି ନିଜ ବକ୍ତବ୍ୟରେ ବାଲେଶ୍ୱର ଓ ମୟୂରଭଞ୍ଜ ଅଞ୍ଚଳରୁ ଆବିଷ୍କୃତ ‘ଦୁର୍ଗାଦେବୀ’ ପ୍ରତ୍ନତାତ୍ତ୍ୱିକ ଖନନ ଉପରେ ଏକ ସୁବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନଗୁଡ଼ିକ ଉପରେ ଅବତାରଣା ପୂର୍ବକ ପ୍ରାଚୀନ ଓଡ଼ିଶାର କଳା-ସ୍ଥାପତ୍ୟର ବୈଶିଷ୍ଟ୍ୟ ଓ ଏହାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଉତ୍ତର ଓଡ଼ିଶାର ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ମିଳିଥିବା କଳାକୃତିଗୁଡ଼ିକ କିପରି ଆମ ସଂସ୍କୃତିର ପରିଚୟ ବହନ କରେ, ସେ ସମ୍ପର୍କରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସହକାରୀ ପ୍ରଫେସର ଡ. ଅନାମ ବେହେରା ଆଲୋଚନାଚକ୍ରର ଆଭିମୁଖ୍ୟ ଓ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ଜାତୀୟ ପାଠଚକ୍ର ବିବରଣୀ ପୁସ୍ତିକା ଲୋକାର୍ପଣ କରିଥିଲେ। ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ନିରଞ୍ଜନ ରାଉତ ସ୍ବାଗତ ଅଭିଭାଷଣ ଓ ଅଧ୍ୟାପକ ଡ. ସୁଶାନ୍ତ କୁମାର ଦାସ ଭିତ୍ତିପ୍ରବନ୍ଧ ପରିବେଷଣ କରିଥିଲେ। ଛାତ୍ରୀ ବର୍ଷାରାଣୀ ମଲ୍ଲିକ, ଆରାଧନା ମାଝି, ପ୍ରମିଳା ମଲ୍ଲିକ, ଝିଲି ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ଦାସ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଅଶୋକ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ମହାପାତ୍ର, ଡ. ମାରୁତି ତ୍ରିପାଠୀ, ଡ. ସାଣ୍ଡ୍ରା ରୋଜାରିଓ ଓ ବିଭାଗର ଛାତ୍ର ରାଜେଶ ବେହେରା, ହରମୋହନ ମାଝି, ରୋହିତ କୁମାର ବେହେରା, ଜୀବନଜ୍ୟୋତି ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଲୋକେଶ୍ବର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

