ଚଣ୍ଡିଗଡ଼: ଦେଶର ୭୭ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବାର ଏକ ବଡ଼ ବିଦେଶୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ପଞ୍ଜାବ ପୁଲିସ ଏକ ବିପଜ୍ଜନକ ଆତଙ୍କବାଦୀ ମଡ୍ୟୁଲ ଠାବ କରିଛି। ହୋସିଆରପୁରରେ କରାଯାଇଥିବା ଏକ ଗୁପ୍ତ ମିଳିତ ଅଭିଯାନରେ, ପୁଲିସ ନିଷିଦ୍ଧ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ)ର ଚାରି ଜଣ ସଦସ୍ୟଙ୍କୁ ବିପୁଳ ପରିମାଣରେ ଆର୍ଡିଏକ୍ସ୍ ଓ ବେଆଇନ ଅସ୍ତ୍ରଶସ୍ତ୍ର ସହିତ ଗିରଫ କରିଛି।ଗୁପ୍ତ ସୂଚନା ଆଧାରରେ ହୋସିଆରପୁର ପୁଲିସ ଓ ସିଆଇ ଜଳନ୍ଧରର ଏକ ଟିମ୍ ମିଳିତ ଅପରେସନ୍ କରିଥିଲେ। ଏସ୍ଏସ୍ପି ସନ୍ଦୀପ ମଲିକଙ୍କ ନେତୃତ୍ୱରେ ପୁଲିସ ଟିମ୍ ସନ୍ଦିଗ୍ଧଙ୍କୁ ଘେରି ଯାଇଥିଲେ। ସେମାନଙ୍କ ପାଖରୁ ପ୍ରାୟ ଅଢ଼େଇ କିଲୋଗ୍ରାମ ଆର୍ଡିଏକ୍ସ୍ ଭର୍ତ୍ତି ଆଇଇଡି ଜବତ ହୋଇଛି। ଆତଙ୍କବାଦୀଙ୍କଠାରୁ ଦୁଇଟି ପିସ୍ତଲ ମଧ୍ୟ ଜବତ କରାଯାଇଛି।

