୧୨୫ ଦିନର ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ବିଶିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା “ବିକଶିତ ଭାରତ ଜୀ ରାମ ଜୀ” ଉପରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଓ ସାମ୍ବାଦିକ ସମ୍ମିଳନୀ ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁଖ୍ୟ ବକ୍ତା ଭାବେ ବଡ଼ଚଣାର ବିଧାୟକ ତଥା କାର୍ଯ୍ୟକ୍ରମର ରାଜ୍ୟ ସହସଂଯୋଜକ ଅମର ନାୟକ ଯୋଗଦେଇ ଉକ୍ତ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମନରେଗା ଯୋଜନାରେ କେମିତି ଭରପୂର ମାତ୍ରାରେ ଦୁର୍ନୀତିର ସୁଯୋଗ ଥିଲା, ପାରଦର୍ଶିତା ନଥିଲା, ଖଟିଖିଆଙ୍କ ହିତକୁ ଅଣଦେଖା କରାଯାଇଥିଲା ସେ ବିଷୟରେ ଅବଗତ କରିଥିଲେ। ରେମୁଣାର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଓ ଜିଲ୍ଲା ପ୍ରଭାରୀ ଯାଜପୁରର ପୁର୍ବତନ ଜିଲ୍ଲା ସଭାପତି ଗୌତମ ରାୟ ଆଲୋଚନାରେ ଅଂଶ ଗ୍ରହଣ କରି ଯୋଜନାର ଉପାଦେୟତା ଓ ଜନକଲ୍ୟାଣକାରୀ ଦିଗ ଉପରେ ଆଲୋକପାତ କରିଥିଲେ। କର୍ମଶାଳାକୁ ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ପରିଡ଼ା ପରିଚାଳନା କରିଥିବା ବେଳେ ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅଣୁମାଧବ ପଣ୍ଡା ଉପସ୍ଥିତ ଥିଲେ। ଯୋଜନାର ଉପାଦେୟତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଏହାକୁ ସେମାନେ ଠିକ୍ ଭାବେ ପାଳନ କରିବେ ବୋଲି ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ନାୟକ ଆଶା ପ୍ରକାଶ କରିଥିଲେ। କର୍ମଶାଳାରେ ସାଂଗଠନିକ ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ସଂଯୋଜକ ଓ ସହସଂଯୋଜକ ଯୋଗଦାନ କରିଥିଲେ।

