ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ଏବଂ ମନୋବଳ ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କେନ୍ଦ୍ର ସରକାର ସାଧାରଣ ବୀମା କମ୍ପାନି କର୍ମଚାରୀଙ୍କ ପାଇଁ ବେତନ ସଂଶୋଧନ ଏବଂ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପେନସନ ଓ ପରିବାର ପେନସନ ସଂଶୋଧନକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ସରକାରଙ୍କର ସେବାରତ କର୍ମଚାରୀ ଏବଂ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଆର୍ଥିକ କଲ୍ୟାଣ ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।ପିଏସୟୁ ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କ ପାଇଁ ବେତନ ସଂଶୋଧନ ୨୦୨୨ ଆଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ସେମାନଙ୍କ ବେତନ ବିଲ୍ରେ ମୋଟ ୧୨.୪୧ ପ୍ରତିଶତ ବୃଦ୍ଧି ହେବ। ମୌଳିକ ବେତନ ଏବଂ ମହଙ୍ଗା ଭତ୍ତାରେ ୧୪ ପ୍ରତିଶତ ବୃଦ୍ଧି ଘଟିବ। ଏଥିରୁ ୬ଟି ସାଧାରଣ ବୀମା କମ୍ପାନିର ୪୩,୨୪୭ କର୍ମଚାରୀ ଉପକୃତ ହେବେ। ଏକ ବଡ଼ ସାମାଜିକ ସୁରକ୍ଷା ପଦକ୍ଷେପରେ, ୨୦୧୦ ଏପ୍ରିଲ ୧ ପରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ୍) ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ପରିବାର ପେନସନକୁ ଅଫିସିଆଲ ଗେଜେଟରେ ପ୍ରକାଶିତ ତାରିଖରୁ ଏକମୁଖୀ ୩୦ ପ୍ରତିଶତ ହାରକୁ ସଂଶୋଧନ କରାଯାଇଛି ଯାହା ଦ୍ଵାରା ୧୪,୬୧୫ ପରିବାର ପେନସନଭୋଗୀଙ୍କୁ ଉପକୃତ କରିବ। ଏହି ସଂଶୋଧନର ମୋଟ ଆର୍ଥିକ ପ୍ରଭାବ ପ୍ରାୟ ୮,୧୭୦.୩୦ କୋଟି ଟଙ୍କା ହେବ। ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନି, ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନି, ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି, ଜେନେରାଲ ଇନସ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ଏଗ୍ରିକଲଚରାଲ ଇନସ୍ୟୁରାନ୍ସ କମ୍ପାନିର କର୍ମଚାରୀମାନେ ଉପକୃତ ହେବେ।
ନାବାର୍ଡ କର୍ମଚାରୀଙ୍କ ପାଇଁ ବେତନ ଏବଂ ଭତ୍ତା ୨୦୨୨ ନଭେମ୍ବର ୧ରୁ ସଂଶୋଧନ କରାଯାଇଛି, ଯାହା ଗ୍ରୁପ୍ ‘ଏ’, ‘ବି’ ଏବଂ ‘ସି’ କର୍ମଚାରୀଙ୍କ ପାଇଁ ବେତନରେ ୨୦ ପ୍ରତିଶତ ବୃଦ୍ଧି ଆଣିଛି। ଏହା ପ୍ରାୟ ୩,୮୦୦ ସେବାରତ ଏବଂ ପୂର୍ବତନ କର୍ମଚାରୀଙ୍କୁ ଉପକୃତ କରିବ। ନାବାର୍ଡରେ ନିଯୁକ୍ତ ହୋଇ ନଭେମ୍ବର ୧, ୨୦୧୭ ପୂର୍ବରୁ ଅବସର ନେଇଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପେନସନ ଏବଂ ପରିବାର ପେନସନକୁ ପୂର୍ବତନ ଆରବିଆଇ-ନାବାର୍ଡ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ସହ ସମାନ କରାଯାଇଛି।

