ନୂଆଦିଲ୍ଲୀ: ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳରେ ଶୁକ୍ରବାର ସକାଳେ ଝଡ଼ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଲର୍ଟ ଅନୁଯାୟୀ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି। ବର୍ଷା ଯୋଗୁ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଦିଲ୍ଲୀ-ଏନ୍ସିଆର୍ ଏବଂ ପଞ୍ଜାବ ଓ ହରିୟାଣାର ଅନେକ ଅଞ୍ଚଳରେ ଝଡ଼ ଏବଂ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ଆଲର୍ଟ ଅନୁଯାୟୀ, ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଶୁକ୍ରବାର ଦିଲ୍ଲୀର ଆକାଶ ମେଘୁଆ ରହିବ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ଅପରାହ୍ଣରେ ବର୍ଷା ପରିମାଣ ବଢ଼ିବ ବୋଲି କୁହାଯାଇଛି। ଝଡ଼ବର୍ଷା ସହିତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୩୦-୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଗୁରୁବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୭.୧ ଡିଗ୍ରୀ ସେଲସିୟସ ରହିଥିବାବେଳେ ସାତ ବର୍ଷ ମଧ୍ୟରେ ଜାନୁଆରିର ସବୁଠାରୁ ଉଷ୍ଣ ଦିନ ଭାବେ ରେକର୍ଡ କରାଯାଇଥିଲା। ତେବେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରିକୁ ଖସି ଆସିବ ଏବଂ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିପାରେ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି।

