ତିହିଡି, ୦୩.୧୧: ଜସ୍ମିନଙ୍କ ଶିବ ତାଣ୍ଡବ ଓଡ଼ଶୀ ନୃତ୍ୟରେ ଝୁମିଲେ ଲଣ୍ଡନବାସୀ ଓ ପ୍ରଭାସୀ ଭାରତୀୟ । କଳାକାରଟିଏ ଯେତେ ଜଞ୍ଜାଳରେ ରହିଲେବି କଳାକୁ ସେ ଭୁଲି ପାରେନି କି କଳାକାରକୁ ଛାଡ଼ି ପାରେନି । କଳା ଓ କଳାକାର ମଧ୍ୟରେ ଥିବା ଗଭୀରଭାବ କଳାକାରକୁ କେବେନା କେବେ ମଞ୍ଚକୁ ଟାଣିନିଏ । କଳାକାର ଯେତେ ବ୍ୟସ୍ତରେ ଥିଲେବି ପାଦରେ ଘୁଙ୍ଗୁର ବାନ୍ଧିଲେ ସେ ନାଚିବ ନିଶ୍ଚୟ । ଭଦ୍ରକ ଜିଲ୍ଲା ତିହିଡି ମଙ୍ଗରାଜପୁର ଗ୍ରାମର ଅବସରପ୍ରାପ୍ତ ଅଡିଟର କବି ବସନ୍ତ କୁମାର ଦାସ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ମିନତୀ ନାୟକଙ୍କ ବୋହୁ ତଥା ଇଂ ସତ୍ୟଜିତ ଦାସଙ୍କ ପତ୍ନୀ ନୃତ୍ୟଶିଳ୍ପୀ ଜସ୍ମିନ୍ ଜେନା ବାହାଘର ପରେ ଦୀର୍ଘଦିନ ସଂସାର ଜଞ୍ଜାଳରେ ରହିବି ଲଣ୍ଡନର ଦୁର୍ଗାପୂଜା ଅବସରରେ ନୃତ୍ୟଶିଳ୍ପୀ ଭାବେ ଶିବ ତାଣ୍ଡବ ଓଡ଼ଶୀ ନୃତ୍ୟରେ ନିଜର କରିସ୍ମା ଦେଖାଇ ଶାଶୁ ଘର ଓ ବାପ ଘରର ଗୌରବ ବଢ଼ାଇ ପାରିଛନ୍ତି । କଟକ ରାଣୀହାଟ ପ୍ରଫେସରପଡାରେ ଜସ୍ମିନ ଜନ୍ମଗ୍ରହଣ କରିଥିଲେ । ବାପା ପ୍ରଫୁଲ ଜେନା କୃଷି ବୈଜ୍ଞାନିକ ଓ ମାତା ରଶ୍ମି ଜେନା ଜଣେ ସୁଗୃହିଣୀ । ପିଲାଟି ଦିନରୁ ଜସ୍ମିନଙ୍କର ନୃତ୍ୟପ୍ରତି ଆଗ୍ରହ ଥିଲା । ସେଥିପାଇଁ ସେ ଓଡ଼ଶୀ ନୃତ୍ୟ ଗୁରୁ ଅଧ୍ୟାପକ ଡ଼. ଚତ୍ତରଞ୍ଜନ ସହାଣୀଙ୍କ ନିକଟରେ ଓଡ଼ଶୀ ନୃତ୍ୟ ଶିକ୍ଷା କରିଥିଲେ । ପରେ ସେ ଓଡ଼ଶୀ ନୃତ୍ୟରେ ନିଜର ପାରଦର୍ଶିତା ଦେଖାଇ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ସମ୍ନାନିତ ହୋଇଥିଲେ । ସେ କଟକ ଉତ୍କଳ ସାହିତ୍ୟ କଳା ପରିଷଦ ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୦୩, ପଞ୍ଜାବ ଫରିଦାକୋଟ ଜାତୀୟ ଯୁବ କ୍ଲବର ଓଡିଶା ଓ ପଞ୍ଜାବ ସାଂସ୍କୃତିକ କାର୍ଯ୍ୟକ୍ରମ, କଟକ ବାଇଶି ଦିଗ ସଂକୀର୍ତ୍ତନ ମଣ୍ଡଳୀ, ସ୍ୱୟଂ ପ୍ରଭା ପ୍ରତିଭା ସମ୍ମାନ ୨୦୦୯-୨୦୧୦, ଜାମୁ କାଶ୍ମୀର ରାଜ୍ୟର ଜାମ୍ମୁ ଠାରେ ଆୟୋଜିତ କଲତୁରାଲ ଗ୍ରୁପ ସିନିୟର ଚମ୍ପିୟାନସିପ -୨୦୧୧, ୧୫ ସାଉଥ ଏସିଆନ ଫ୍ରେଣ୍ଡସିଫ କ୍ୟାମ୍ପ -୨୦୦୫, ଭୁବନେଶ୍ୱର ଗିନିସ ୱାର୍ଲଡ଼ ରେକର୍ଡ – ୨୦୧୧ ସହିତ ଆହୁରି ବହୁ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ଲଣ୍ଡନରେ ଚଳିତ ବର୍ଷ ଦୁର୍ଗା ପୁଜାରେ ରୁଇ ସ୍ଲିପ ସ୍ଥିତ ଗ୍ରାଣ୍ଟଭିୟୁ ବାଙ୍କୁଏଟିଂ ହଲରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜସ୍ମିନ ଶିବ ତାଣ୍ଡବ ଓଡ଼ଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତନୁଶ୍ରୀ ବାନାର୍ଜୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶର୍ମିଷ୍ଠା ଗୁହା ଉପସ୍ଥାପନା କରିଥିଲେ । ନୃତ୍ୟଶିଳ୍ପୀ ଜସ୍ନିନଙ୍କ ନୃତ୍ୟ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଥିବା ବେଳେ ପ୍ରବାସୀ ଭାରତୀୟ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲା । ଫଳରେ ଜସ୍ମିନ ବହୁ ପ୍ରଶଂସିତ ହୋଇଥିବା ଜଣା ପଡିଛି । ଅଧୁନା ଜସ୍ମିନ ସ୍ୱାମୀ ଓ ପୁଅ ଝିଅଙ୍କ ସହିତ ଲଣ୍ଡନରେ ରହୁଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

