ଭୁବନେଶ୍ବର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପ୍ରସଙ୍ଗ ଅଧିକ ଜଟିଳ ହେବାରେ ଲାଗିଛି। ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ନିଲମ୍ବନ ଆଦେଶକୁ ଯଥାର୍ଥ ଦର୍ଶାଇବା ପାଇଁ ବେଶ୍ କସରତ ଚଳାଇଛନ୍ତି। ଆଜିକୁ ୭ ଦିନ ହେଲା ବରିଷ୍ଠ ନେତାମାନେ ଅସମ୍ଭବ ନିରବତା ଅବଲମ୍ବନ କରୁଥିବାରୁ ନିଜେ ନବୀନ ଆଗକୁ ଆସିଛନ୍ତି। ପାଟକୁରାର କିଛି ନେତା ଓ କର୍ମୀଙ୍କୁ ନବୀନ ନିବାସ ଡକାଯାଇ ସେମାନଙ୍କ ଆଗରେ ସଫେଇ ଦେଇଛନ୍ତି ନବୀନ। ସେହି ଭିଡିଓକୁ ଗଣମାଧ୍ୟମକୁ ଦିଆଯାଇ ଭାଇରାଲ୍ କରାଯାଉଛି। ନିଲମ୍ବନ ପ୍ରସଙ୍ଗକୁ ନେଇ ନବୀନ ଏପରି ବିବ୍ରତ ହେବା ଘଟଣା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅରବିନ୍ଦଙ୍କ ପରି ଜଣେ ନବାଗତ ବିଧାୟକଙ୍କ ବିରୋଧରେ ନିଜେ ନବୀନ ଆଗକୁ ଆସିବା ଘଟଣାକୁ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଗତ ୧୫ ତାରିଖରେ ବିଧାୟକ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ଅରବିନ୍ଦଙ୍କ ନିଲମ୍ବନ ପଛର ଯଥାର୍ଥତାକୁ ବିଜେଡି ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରୁ ନାହିଁ। କୌଣସି ବରିଷ୍ଠ ନେତା ଏହି ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ିବାକୁ ନାରାଜ। କିଛି ଯୁବ ନେତାଙ୍କୁ ନେଇ ନିୟମିତ ଭାବେ ନିଲମ୍ବନ ସପକ୍ଷରେ ଓକିଲାତି କରାଯାଉଥିଲେ ବି ତାହା ବ୍ୟାପକ ଭାବେ ଗ୍ରହଣୀୟ ହୋଇପାରୁନି। ପୁଣି ପ୍ରମାଣ ଦେବାକୁ ବିଜେଡିକୁ ଅରବିନ୍ଦ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ଅଡ଼ୁଆ ବଢ଼ିଯାଉଛି। ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର କିପରି ବିଜୁ ବାବୁ ଓ ତାଙ୍କ ସହ ବିଶ୍ବାସଘାତକତା କରିଥିଲେ, ସେ ସମ୍ପର୍କରେ ନବୀନ ନିଜେ ଗତ ସାତ ଦିନ ମଧ୍ୟରେ ବହୁ ନେତାଙ୍କ ଆଗରେ ଗପି ସାରିଲେଣି। କିନ୍ତୁ ଅରବିନ୍ଦ କ’ଣ ବିଶ୍ବାସଘାତକତା କରିଛନ୍ତି, ସେ ସମ୍ପର୍କରେ କିଛି କହୁନାହାନ୍ତି। ସେଥିପାଇଁ ବରିଷ୍ଠ ନେତାମାନେ ଗଣମାଧ୍ୟମକୁ ସାମନା କରିବାକୁ ପଛଘୁଞ୍ଚା ଦେଉଛନ୍ତି।

