କାଳିଆପାଣି(ରବିନାରାୟଣ କର): କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ପକ୍ଷରୁ ୬ଟି ଜଳାଶୟ ଅଶୋକଝର, ଢୋଲପଥର, ଦଲକି, ଗିରିଙ୍ଗାମାଳି, ରୁଙ୍ଗୁରୁଙ୍ଗା ଓ ରଗଦା ଏବଂ ବ୍ରାହ୍ମଣୀ ନଦୀ ଓ ଏହାର ଉପନଦୀ ପାଣ୍ଡରାରେ ପକ୍ଷୀ ଗଣନା କରାଯାଇଛି। ଚଳିତବର୍ଷ ଏଠାରେ ପକ୍ଷୀ ସଂଖ୍ୟା ୭୯୫ ବୋଲି ବିଭାଗୀୟ ସୂଚନା ରହିଛି। ଏହା ମଧ୍ୟରେ ସର୍ବାଧିକ ୧୪୦ ଟି ବଗ, ୫୧ଟି କଜଳପାତି ଓ ସର୍ବନିମ୍ନ ୪ଟି ପାଣିକୁଆ ଅଛନ୍ତି। ଏଥିସହ ୫ ପ୍ରକାର ମାଛରଙ୍କା, ରାଜବଣି ସହ ୩ ପ୍ରକାର ବଣି, ସ୍ବତନ୍ତ୍ର ବଦନପାଟିଆ ଖଞ୍ଚନ ସହ ୩ ପ୍ରଜାତିର ଖଞ୍ଚନ, ୨ ପ୍ରକାର କପୋତ, ସଲରି, ଚାତକ, ଡାମରା କାଉ, ସତିରା, ବାଉଁଶ ପତିରି, ମାଳିଆପକ୍ଷୀ, କାଠହଣା, ବୁଲବୁଲ, ରବିନ, ବତାସିଆ, ଟେଁଟେଁୟା ଓ ଭଦଭଦଳିଆକୁ ମିଶାଇ ମୋଟ ୨୬ ପ୍ରଜାତିର ଚଢ଼େଇ ଦେଖାଯାଇଥିଲେ। ଡିଏଫ୍ଓ ଅନିଲ କୁମାର ରାୟଙ୍କ ନିର୍ଦ୍ଦେଶରେ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ତତ୍ତ୍ବାବଧାନରେ ବନପାଳ ମନୋରମା ହୋତା, ରାମ ତିରିଆ ଓ ପ୍ରଶାନ୍ତ ହେମ୍ବ୍ରମ ଏବଂ ବନରକ୍ଷୀ ଗୌରାଙ୍ଗ ଜାରିକା, ସୋନାଲି ମାଝୀ, ଲଲାଟେନ୍ଦୁ କଅଁର ଓ କାଲାଇ ବାନସିଂଙ୍କୁ ନେଇ ୬ଟି ବନବାହିନୀ ବଡ଼ିଭୋରୁ ନିର୍ଦ୍ଧାରିତ ସ୍ଥାନରୁ ପକ୍ଷୀ ଗଣନା କରିଥିଲେ।

