ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି। ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ଶାହବାଜ ସରିଫ ବ୍ୟକ୍ତିଗତ ଭାବରେ ଉତ୍ତେଜନା ହ୍ରାସ କରିବା ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଟ୍ରମ୍ପ ବାରମ୍ବାର ଦାବି କରୁଛନ୍ତି ଯେ, ସେ ଗତ ବର୍ଷ ମେ’ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିଥିଲେ। ତେବେ ଭାରତ ଲଗାତାର କହି ଆସୁଛି, ପାକିସ୍ତାନ ସହିତ ଅସ୍ତ୍ରବିରତିରେ କୌଣସି ତୃତୀୟ ଦେଶର ଭୂମିକା ନାହିଁ। ସାମରିକ ଗତିରୋଧ ବନ୍ଦ କରିବାର ନିଷ୍ପତ୍ତି ଦୁଇ ସେନାର ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ପରେ ନିଆଯାଇଥିଲା ଏବଂ ଏଥିରେ କୌଣସି ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ କହିଆସୁଛି।

