ନୂଆଦିଲ୍ଲୀ : ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ପାକ୍ ଆତଙ୍କୀଙ୍କୁ ଚେତାବନୀ ଦେଇଛନ୍ତି । ସୀମା ପାର ଏବେ ବି ୮ଟି ଆତଙ୍କୀ ଟ୍ରେନିଂ କ୍ୟାମ୍ପ ସକ୍ରିୟ ରହିଛି, ଆଉ ଭାରତୀୟ ସେନା ଏହା ଉପରେ ଲଗାତାର ନଜର ରଖିଛି । ସିଏପିଏଫ୍, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ।
ଏବେ ବି ୮ଟି ଆତଙ୍କୀ ଟ୍ରେନିଂ କ୍ୟାମ୍ପ ସକ୍ରିୟ ରହିଛି । ଏଥିରୁ ୬ଟି ଏଲଓସିରେ ଏବଂ ୨ଟି ଅର୍ନ୍ତଜାତୀୟ ସୀମାରେ ରହିଛି । ଏହା ଉପରେ ଗୁଇନ୍ଦା ଏଜେନ୍ସୀ ଇନପୁଟ ଲଗାତାର ନଜର ରଖିଛି । ଏଥିରେ ମୋଟ ୧୦୦ରୁ ୧୫୦ ଆତଙ୍କୀ ରହିଥିବା ଅନୁମାନ କରାଯାଉଛି । ଯଦି ଏସବୁ ଆତଙ୍କୀ ଆଡ୍ଡାରୁ କୌଣସି ପ୍ରକାରର ହଲଚଲ ନଜର ଆସେ, ତେବେ ଭାରତୀୟ ସେନା ପୁଣିଥରେ କାର୍ଯ୍ୟାନୁଷ୍ଠାନ କରିବ । ସେ କହିଛନ୍ତି, ଏବେ ବି ଅପରେସନ ସିନ୍ଦୂର ଜାରି ରହିଛି । ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ ।
ଅପରେସନ ସିନ୍ଦୂରରେ ଆମେ ୭ଟି ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ବଂସ କରିଥିଲୁ । ଗତବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲୁ । ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି । ୨୦୨୫ ମସିହାରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି । ସେଥିରେ ୬୫ ପ୍ରତିଶତ ପାକିସ୍ତାନୀ ରହିଥିଲେ ।
ପହଲଗାମ୍ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀଙ୍କୁ ଅପରେସନ୍ ମହାଦେବରେ ନିପାତ କରାଯାଇଥିଲା । ଆତଙ୍କୀ ବିରୋଧରେ ଭାରତ ପ୍ରତ୍ୟେକ ସ୍ତରରେ ଜବାବ ଦେବାକୁ ସକ୍ଷମ ରହିଛି ।

