ଆଜି ଭଦ୍ରକ ସହରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ଲୋକେ ଏହି ଦୃଶ୍ୟକୁ ବେଶ୍ ଉପଭୋଗ ମଧ୍ୟ କରୁଥିଲେ।
ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ। ଆଜି ଦ୍ବିତୀୟ ଥର ଲାଗି ତାଙ୍କର ଏଭଳି କାମ ନଜରକୁ ଆସିଛି। ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ସାଇକେଲରେ ଆସିଲେ ପରିବେଶ ସୁରକ୍ଷିତ ରହିବା ସହ ଶରୀର ସୁସ୍ଥ ରହିବ। ଏମିତି ଯେଉଁଦିନ ସୁବିଧା ହେବ ସେ କାର୍ଯ୍ୟାଳୟକୁ ସାଇକେଲରେ ଆସିବେ। ସେ ଆହୁରି କହିଛନ୍ତି ଯେ ଅନ୍ୟ ଅଧିକାରୀମାନେ ବି ଏଥିରୁ ପ୍ରେରିତ ହୁଅନ୍ତୁ ଏବଂ ସେମାନେ ବି ସାଇକେଲରେ ଅଫିସ୍ ଆସନ୍ତୁ।
ସୂଚନାଯୋଗ୍ୟ, ବିଶ୍ବ ସାଇକେଲ୍ ଦିବସରେ ବି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।

