ରାଜ୍ୟ

ସୁବର୍ଣ୍ଣ ରେଖା ବନ୍ଦର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଶ୍ନ ଉଠାଇଲେ ସଦର ବିଧାୟକ ମାନସ କୁମାର ଦତ୍ତ, ଆଗାମୀ ଦିନରେ ସୃଷ୍ଟି ହେବ ୧୨,୦୦୦ ନିଯୁକ୍ତି

Spread the love

ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଣରେ ବୃହତ ବନ୍ଦର ପ୍ରତିଷ୍ଠା ନେଇ ବିଗତ ସରକାର ବାରମ୍ବାର ଘୋଷଣା କରିଥିଲେ ବି ଦଶ ବର୍ଷ ତଳୁ ଘୋଷିତ ପ୍ରକଳ୍ପ ଏଯାବତ୍ କାର୍ଯ୍ୟକାରୀ ହୋଇପାରିନାହିଁ। ନିର୍ମାଣାଧୀନ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ବର୍ତ୍ତମାନର ସ୍ଥିତାବସ୍ଥା, ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର ପରିମାଣ, ପ୍ରକଳ୍ପ ବିଳମ୍ବିତ ହେବାର କାରଣ ପ୍ରଭୃତି ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନ ଉଠାଇଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ। ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ କେତେ ବର୍ଷ ମଧ୍ୟରେ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବ ତଥା ଏହି ପ୍ରକଳ୍ପ ମାଧ୍ୟମରେ କେତେ ନିଯୁକ୍ତି ସୃଷ୍ଟି ହୋଇପାରିବ, ସେ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଣରେ ପ୍ରତିଷ୍ଠା ହେବାକୁ ଥ‌ିବା ବନ୍ଦରର ପ୍ରାରମ୍ଭିକ କାର୍ଯ୍ୟ ସହିତ ସଡକ ପଥ ଓ ରେଳପଥ ନିମିତ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ସରକାରୀ-ଘରୋଇ ସହଭାଗିତା (ପବ୍ଲିକ- ପ୍ରାଇଭେଟ ପାର୍ଟନରଶିପ)ରେ କାର୍ଯ୍ୟକାରୀ ହେଉଥିବା ଏହି ବନ୍ଦରର ବିକାଶ କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨୩୪୫ କୋଟି ଟଙ୍କାର ଖର୍ଚ୍ଚ ଅଟ୍ଟକଳ କରାଯାଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ମଞ୍ଜୁର କରାଯାଇ ନଥିବା ବିଧାନସଭାରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ତେବେ କିଛି କାରଣ ବଶତଃ ବନ୍ଦର ପ୍ରତିଷ୍ଠା ବିଳମ୍ବିତ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ବନ୍ଦର ପ୍ରତିଷ୍ଠା ନିୟମ ଅନୁଯାୟୀ ହୋଇଥିବା ସରକାରୀ-ଘରୋଇ ସହଭାଗୀତା ଏମଓୟୁ ବିରୋଧରେ ୨୦୧୧ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ୨୦୧୬ ମସିହାରେ ଉଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଖାରଜ କରିଦେବା ପରେ ବନ୍ଦର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିଲା । ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ମସିହା ଅଗଷ୍ଟ ମାସ ୨୫ ତାରିଖରେ ମଞ୍ଜୁରି ପ୍ରଦାନ କରିବା ବନ୍ଦର ପ୍ରତିଷ୍ଠା ବିଳମ୍ୱିତ ହେବାର ଅନ୍ୟ ଏକ କାରଣ। ସମ୍ପ୍ରତି ବନ୍ଦରର ବିକାଶ ନିର୍ମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ପ୍ରାୟ ୧୨,୦୦୦ ଯୁବକ ଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *