ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର
ଜଳେଶ୍ବର: ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଢେଙ୍କାନାଳର ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା। ଏହି ବସ୍ ରେ ମୋଟ ୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ବୋଲି କୁହାଯାଇଛି। ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ସୂଚନା ମିଳିଛି।ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟା ୫ ଟାରେ ସମୟରେ ୦ଡି୦୫ବିଏଲ-୭୧୬୫ ନମ୍ବରର ଡ଼ଲଫିନ ନାମକ ଏକ ବସ୍ ଢେଙ୍କାନାଳଜିଲ୍ଲା ନୃସିଂହପୁରରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ରାତି ପାଖାପାଖି ୩ ଟା ସମୟରେ ବସ୍ ଟି ଜାତୀୟ ରାଜପଥରର ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ଯାଉଥିବା ବେଳେ ସେହି ସମୟରେ ରାସ୍ତା ଉପରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଏକ କୁଣ୍ଡା ବୋଝେଇ ଟ୍ରକ (ଡବ୍ଲୁବି୩୩ସି-୪୦୮୫) କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ର ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ (୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବସ୍ ରେ ୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ବୋଲି କୁହାଯାଇଛି।