ରାଜ୍ୟ

ମାଲକାନଗିରିକୁ ରେଡ୍‌ ୱାର୍ଣ୍ଣିଂ: ଚାଷୀ ଛାନିଆ, ତରବରିଆ ଭାବେ କାଟୁଛନ୍ତି ଧାନ

Spread the love

ମାଲକାନଗିରି: ବାତ୍ୟା ‘ମୋନ୍ଥା’ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସ୍ଥଳଭାଗ ଛୁଇଁବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ମାଲକାନଗିରି ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି ଜିଲ୍ଲା ସୀମାରୁ କାକିନାଡ଼ା ୨୦୦ କିମି ଦୂରରେ ଥିବାରୁ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। 

ବାତ୍ୟାକୁ ନେଇ ଚାଷୀକୁଳ ଛାନିଆ ହୋଇ ତରବରିଆ ଭାବେ ଧାନ କାଟି ନେଉଛନ୍ତି। ଅଧିକା ଭଡ଼ା ଦେଇ ମେସିନ୍‌ ଆଣି ଧାନ ଅମଳ କରିବାରେ ଲାଗି ପଡ଼ିଛନ୍ତି। ବର୍ଷାରେ ସଂପୂର୍ଣ୍ଣ କ୍ଷତି ହେବା ପୂର୍ବରୁ ଯାହା ଖର୍ଚ୍ଚ ହେଉ ପଛେ ଧାନ ଗଣ୍ଡେ ଘରକୁ ନେଇଯିବୁ ବୋଲି ଚାଷୀ କହିଛନ୍ତି। ଏମ୍‌ଭି-୪୩ ଗ୍ରାମର ଚାଷୀ କାଲାଚାନ୍ଦ ଦେ ଓ ଗୟାଧର ମହତାବ କହିଛନ୍ତି, ଆମେ ୨୦ ଏକର ଲେଖାଏଁ ଜମିରେ ଧାନ ଚାଷ କରିଛୁ। ଭଲ ଫସଲ ଧରିଛି। ବାତ୍ୟା ହେଲେ ବର୍ଷା, ପବନରେ ସବୁ ଧାନ ଫସଲ ନଷ୍ଟ ହୋଇଯିବ। ସେଥି ପାଇଁ ମେସିନ୍‌ ଆଣି ଧାନ ଅମଳ କରୁଛୁ।

ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି। ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରିବା ସହ କୌଣସି ଅଘଟଣ ଘଟିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସହଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲାଯାଇଛି। ଜିଲ୍ଲାର ୭ଟି ଅଗ୍ନିଶମ ଟିମ୍‌ ଏବଂ କୋରାପୁଟରୁ ୨ଟି ଓଡ୍ରାଫ ଟିମ୍‌କୁ ୨୪ ଘଣ୍ଟିଆ ସତର୍କ ରହିବାକୁ କୁହାଯାଇଛି। ତଳିଆ ବ୍ରିଜ୍‌ଗୁଡ଼ିକରେ ପ୍ରବଳ ପାଣି ପ୍ରବାହ ହେବାକୁ ଥିବାରୁ ଲୋକେ ଯେପରି ବ୍ରିଜ୍‌ ପାର ନ କରିବେ ସେଥି ପାଇଁ ବ୍ରିଜ୍‌ର ଦୁଇ ପଟେ ସରକାରୀ ଅଧିକାରୀମାନେ ଜଗି ରହିବେ। 

Leave a Reply

Your email address will not be published. Required fields are marked *