ଭାଙ୍ଗିଗଲାଣି ଉତ୍ତରାଖଣ୍ଡର ଅଣ୍ଟା: ଡେରାଡୁନ ପରେ ପୁଣି ଚାମୋଲିରେ ବନ୍ୟା ସ୍ଥିତି, ୧୦ ନିଖୋଜ
ଡେରାଡୁନ: ପୁଣି ଉତ୍ତରାଖଣ୍ଡରେ ପ୍ରଳୟ, ପୁଣି ବାଦଲଫଟା ବର୍ଷା । ବୁଧବାର ବିଳମ୍ବିତ ରାତିରେ ପୁଣି ଥରେ ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । ପୂର୍ବରୁ ଧରାଲି, ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ରାତିରେ ଚାମୋଲିର ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା ପରିସ୍ଥିତି ଉପୁଜିଛି । ଅଧ ରାତିରେ ପ୍ରଳୟ ମାଡ଼ି ଆସିଥିବାରୁ ପ୍ରଳୟ ପାଟିରେ ଅନେକ କିଛି ପଶିଯାଇଛି ।ତେବେ ହଠାତ୍ ବନ୍ୟା ମାଡି ଆସିବା କାରଣରୁ ୬ଟି ବିଲ୍ଡିଂ ଧରାଶାୟୀ ହୋଇଛି । ଘରେ କାଦୁଅ ମିଶା ପାଣି ପଶିଯିବା ସହ ଅନେକ କ୍ଷୟକ୍ଷତି କରିଛି । ଅନେକ ଘର ପାଣଇ ଘେରରେ ରହିଛି । ଆବର୍ଜନା ତଳୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଏବେବି ନିଖୋଜ ଅଛନ୍ତି । ଏକାଧିକ ଲୋକ ଘରେ ଫସି ରହିଛନ୍ତି । ଉଦ୍ଧାର କାମ ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ୩ଟି ଆମ୍ବୁଲାନ୍ସ, ରହିଥିବା ସୂଚନା ମିଳିଛି ।