ତିହିଡି, ୨୧.୧୧: ସରକାରଙ୍କ ନୂତନ ନୀତି ଯୋଗୁଁ ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ୪୮୮ ଶ୍ରେଣୀଭୁକ୍ତ ଯୁକ୍ତ ଦୁଇ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଅନେକ ସମସ୍ୟା ଉପୁଜିଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଭଦ୍ରକ ଜିଲ୍ଲା ତିହିଡ଼ି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଅଧ୍ୟାପକ ମରୁଡି ଯୋଗୁଁ ଏଠାରେ ଏକାଧିକ ବିଭାଗରେ ପାଠପଢ଼ା ପ୍ରାୟତଃ ଠପ୍ ହୋଇ ପଡ଼ିଥିବା ବେଳେ ଶିକ୍ଷା ଅଧିକାରରୁ ବଞ୍ôଚତ ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ । ବିଶେଷକରି କଲେଜର ବାଣିଜ୍ୟ ବିଭାଗରେ ଜଣେ ହେଲେ ଅଧ୍ୟାପକ ନଥିବାରୁ ଏହି ବିଭାଗରେ ଅଧ୍ୟୟନରତ ୨୫୬ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ପ୍ରତିଦିନ କଲେଜକୁ ଆସୁଥିଲେ ମଧ୍ୟ ପାଠପଢ଼ାର ସୁଯୋଗ ନପାଇ ନିରାଶ ହୋଇ ଘରକୁ ଫେରୁଛନ୍ତି । ଫଳରେ ବାଧ୍ୟ ହୋଇ ଘରୋଇ ଟ୍ୟୁସନ ଉପରେ ନିର୍ଭର କରୁଛନ୍ତି ଛାତ୍ରଛାତ୍ରୀ । କେବଳ ବାଣିଜ୍ୟ ବିଭାଗ ନୁହେଁ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଂରାଜୀ ଓ ରାଜନୀତି ବିଜ୍ଞାନ ଭଳି ବିଭାଗରେ ମଧ୍ୟ ଆବଶ୍ୟକୀୟ ଅଧ୍ୟାପକ ଓ ଶିକ୍ଷାଦାନ ସୁବିଧା ନଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ କଲେଜର ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଦୟନୀୟ ଅବସ୍ଥାରେ ରହିଛି । ଆବଶ୍ୟକତା ଅନୁଯାୟୀ ୭ ଜଣ ପିଅନ ରହିବା କଥା, ମାତ୍ର ଏଠାରେ ମାତ୍ର ଜଣେ ପିଅନଙ୍କୁ ନେଇ କାର୍ଯ୍ୟ ଚାଲିଛି । ଏପରିକି କୌଣସି କିରାଣି କର୍ମଚାରୀ ନଥିବାରୁ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି । ପୂର୍ବରୁ ଅନ୍ୟ ମହାବିଦ୍ୟାଳୟଗୁଡ଼ିକ ଭଳି ତିହିଡ଼ି କଲେଜରେ ମଧ୍ୟ ନାମଲେଖା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କଠାରୁ ୪ ହଜାର ୫୦ ଟଙ୍କା ଆଦାୟ କରାଯାଉଥିଲା । ଏହି ଅର୍ଥ କଲେଜର ରକ୍ଷଣାବେକ୍ଷଣ ସହ ପରିଚାଳନା କମିଟି ପକ୍ଷରୁ ନିଯୁକ୍ତ ଅଧ୍ୟାପକଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚରେ ବିନିଯୋଗ ହେଉଥିଲା । କିନ୍ତୁ ଚଳିତ ଶିକ୍ଷାବର୍ଷଠାରୁ ସରକାରଙ୍କ ନିର୍ଦ୍ଦେଶରେ ଏହି ଅର୍ଥ ଆଦାୟ ବନ୍ଦ କରାଯାଇଛି ବୋଲି ଜଣାପଡ଼ିଛି । ଏଠାରେ ପ୍ରଶ୍ନ ଉଠୁଛି, ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କଠାରୁ ଅତିରିକ୍ତ ଅର୍ଥ ଆଦାୟ ବନ୍ଦ କରାଯାଉଥିବା ବେଳେ ଅନ୍ୟପଟେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ବିକଳ୍ପ ଆର୍ôଥକ ବ୍ୟବସ୍ଥା କରିବାରେ ବିଳମ୍ବ କାହିଁକି? ଏହାର ପରିଣାମ ଭୋଗୁଛନ୍ତି ନିରୀହ ଛାତ୍ରଛାତ୍ରୀ । କଲେଜରେ ମୋଟ ୧୦୨୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଭଳି ଶିକ୍ଷକ ଓ କର୍ମଚାରୀ ଅଭାବ ସେମାନଙ୍କ ଶିକ୍ଷାକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଅଛନ୍ତି । ଏପରି ସ୍ଥିତିରେ ତିହିଡ଼ି କଲେଜରେ ତୁରନ୍ତ ଆବଶ୍ୟକୀୟ ଅଧ୍ୟାପକ ନିଯୁକ୍ତି, ବନ୍ଦ ପଡ଼ିଥିବା ବିଭାଗଗୁଡ଼ିକରେ ନିୟମିତ ପାଠପଢ଼ା ବ୍ୟବସ୍ଥା ଏବଂ ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହେଉଛି । ନଚେତ୍ ଉଚ୍ଚଶିକ୍ଷା ପାଇଁ ଗ୍ରାମାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ଆହୁରି ଅସୁବିଧାର ସମ୍ମୁଖୀନ ହେବେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

