ତିହିଡି, ୨୧.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବାତ୍ୟା ଆକୱନ ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ହେବାରୁ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଚାରି ଚାରି ଥର ବନ୍ୟା ପରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ବହୁ କଷ୍ଟ କରି ପୁଣି ବିହନ କିଣି ତଳି ପକାଇ ନିଜର ବରଷକ ଖୋରାକି ପାଇଁ ଚାଷ ଗଣ୍ଡେ କରିଥିଲା ଠିକ ଧାନ ପାଚିବା ସମୟରେ ଧାନ କ୍ଷେତରେ ବର୍ଷା ପାଣି ପସି ପବନ ଯୋଗୁଁ ଧାନ କ୍ଷେତରେ ପଟା ଭଳି ସବୁ ଶୋଇ ଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ବ୍ଲକର ବିଭିନ୍ନ ଅଞ୍ଚଳ ରେ ବନ୍ୟା ପାଣି ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବନ୍ୟା ପରେ ଠିକ୍ ଧାନ ଫସଲ ପାଚିବା ସମୟରେ ବାତ୍ୟା ଆକୱନ ଆସି ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । କେଉଁଠି ଧାନ କଟା ହୋଇକି ପାଣିରେ ଭାସୁଛି ତ ଆଉ କେଉଁଠି ପାଣିରେ ଭାସୁଛି ଧାନ । ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଚାଷୀବାପୁଡା ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

