ତିହିଡି଼ – ଫସର ଫାଟିଲା ପ୍ରଶାସନ- ଡିପିସିଏଲ-ବିକାଶ ମଞ୍ଚର ମିଳିତ ବୈଠକ, ଦୁର୍ବାର ଆନ୍ଦୋଳନର ଚେତାବନି। ଭଦ୍ରକ ଜିଲ୍ଲା ତିହିଡି଼ ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ଅପରାହ୍ନରେ ପ୍ରଶାସନ – ଡ଼ିପିସିଏଲ – ଜିଲ୍ଲା ବିକାଶ ପରିଷଦ ମଧ୍ୟରେ ମିଳିତ ବୈଠକ ବିଫଳ ହୋଇଥିବା ସୂଚନା ମିଳିଛି। ଧାମରା ରେଳପଥରେ ଜଳ ନିଷ୍କାସନ ସମେତ ବିଭିନ୍ନ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଥିଲା। ଧାମରା ବନ୍ଦର କର୍ତ୍ତୃପକ୍ଷ ବୈଠକରେ କୌଣସି ତଥ୍ୟ ଉପସ୍ଥାପନ କରିପାରି ନଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସମସ୍ତ ତଥ୍ୟନେଇ ଆସିବାକୁ ଡିପିସିଏଲ କତ୍ତୃପକ୍ଷଙ୍କୁ ତିହିଡି ତହସିଲଦାର ସୁବାଶିଷ ସାହୁ କହିଥିଲେ। ତିହିଡି଼ ଓ ଚାନ୍ଦବାଲି ବ୍ଲକ ପ୍ରଶାସନିକ ଅଧିକାରୀ, ବନ୍ଦର କର୍ତ୍ତୃପକ୍ଷ, ଡ୍ରେନେଜ, ସାଳନ୍ଦୀ ସଳସେଚନ ବିଭାଗ ଅଧିକାରୀ ସହିତ ଜିଲା ବିକାଶ ପରିଷଦ, ବିଶ୍ଵକର୍ମା ଟ୍ରକ ମାଲିକ ସଂଘ ଏବଂ ତିହିଡି଼ ଓ ଚାନ୍ଦବାଲି ବ୍ଲକର ଲୋକ ପ୍ରତିନିଧି ଓ ଚାଷୀମାନେ ବୈଠକରେ ଯୋଗ ଦେଇଥିଲେ l ଧାମରା ରେଳପଥରେ ଜଳ ନିଷ୍କାସନ ହୋଇ ନପାରିବା ଯୋଗୁ ଚାଷଜମି, ଗ୍ରାମ୍ୟ ରାସ୍ତା ନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲା l ଜିଲା ବିକାଶ ପରିଷଦ ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର ଅଭିଯୋଗରେ ଦର୍ଶାଇଥିଲେ ଯେ ଧାମରା ପୋର୍ଟ କମ୍ପାନୀ ଲିମିଟେଡ଼ (ଡିପିସିଏଲ) ସିଏସଆର ପାଣ୍ଠି ବାବଦକୁ କୌଣସି ଅର୍ଥ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିନିଯୋଗ କରୁନାହିଁ l ରେଳପଥ ପାଇଁ ଜମି ଦେଇଥିବା ଚାଷୀ ପରିବାରର ବେକାର ଯୁବତୀ, ଯୁବକମାନଙ୍କୁ ଡିପିସିଏଲ ପକ୍ଷରୁ ନିଯୁକ୍ତି ମିଳିପାରି ନଥିବା ସହ ରେଳପଥରେ କିପରି ଜଳ ନିଷ୍କାସନ ହୋଇ ପାରିବ ସେଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ l ସମାଜସେବୀ ତଥା କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ମଧ୍ୟ ଅନୁରୂପ ଅଭିଯୋଗ କରିବା ସହିତ ଡିପିସିଏଲରେ ନିଯୁକ୍ତି ପାଇଁ ସ୍ୱପ୍ନ ଦେଖିଥିବା ବେକାର ଯୁବତୀ ଯୁବକମାନେ ନିଯୁକ୍ତି ଅଭାବରୁ ବାଧ୍ୟ ହୋଇ ଦାଦନ ଖଟୁଥିବା କହିଥିଲେ l ବୈଠକରେ ପୌରୋହିତ୍ୟ କରୁଥିବା ତିହିଡି଼ ତହସିଲଦାର ଡିପିସିଏଲର କର୍ତ୍ତୃପକ୍ଷଙ୍କୁ ଡିପିସିଏଲର ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ।ମାତ୍ର ସେ ସଠିକ ତଥ୍ୟ ଉପସ୍ଥାପନ କରି ନ ପାରିବାରୁ ତହସିଲଦାର ସାହୁ ତାଙ୍କୁ ପରବର୍ତ୍ତୀ ବୈଠକରେ ପ୍ରସ୍ତୁତ ହୋଇ ତଥ୍ୟନେଇ ଆସିବାକୁ ପରାମର୍ଶ ଦେଇଥିଲେ l ରେଳପଥରେ ଜଳ ନିଷ୍କାସନ ସମସ୍ୟା ନେଇ ତିହିଡି଼ ଓ ଚାନ୍ଦବାଲିରେ ୨ଟି କମିଟି ଗଠନ ହେବ ବୋଲି ବିଡ଼ିଓ ନିରଞ୍ଜନ ବାରିକ ସୂଚନା ଦେଇଥିଲେ l ଯୁଗ୍ମ ତଦନ୍ତ କରାଯାଇ ଜଳ ନିଷ୍କାସନ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବାକୁ ଆଲୋଚନା ହୋଇଥିଲା।ତେବେ ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନପାରିବାରୁ ବୈଠକ ବିଫଳ ହେଲା ବୋଲି ଜିଲା ବିକାଶ ପରିଷଦ ପକ୍ଷରୁ ଘୋଷଣା କରାଯିବା ସହ ଆସନ୍ତା ମାସ ପୁଣିଥରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଥିଲା l ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ଭଦ୍ରକ -ଧାମରା ରେଳପଥର ତିହିଡି଼ ବ୍ଲକ ଅଧୀନ ଗୁରୁଦାସପୁର ଠାରେ ବିଭିନ୍ନ ଦାବି ନେଇ ରେଳପଥ ଅବରୋଧ କରାଯାଇଥିଲା l ପରେ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ୧୮ ତାରିଖରେ ତିହିଡି଼ରେ ଏବଂ ୨୧ ତାରିଖରେ ଭଦ୍ରକରେ ବୈଠକ ବସି ଏନେଇ ଆଲୋଚନା ହେବ ବୋଲି ସ୍ଥିର ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ତଦନୁଯାୟୀ ତିହିଡି଼ରେ ଶୁକ୍ରବାର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇ ପାରିନାହିଁ l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍କିକ, ଡ୍ରେନେଜ ବିଭାଗ ଉପଖଣ୍ଡ ଅଧିକାରୀ ସମ୍ବିତ ଶିଅଳ ଓ ଜ୍ଞାନଦତ୍ତ ରାଉତ, ସାଳନ୍ଦୀ ଜଳସେଚନ ବିଭାଗ ଉପଖଣ୍ଡ ଅଧିକାରୀ ସୂରଜ କୁମାର ମଲ୍କିକ, ଡିପିସିଏଲର ଆଲୋକ କୁମାର ସାହୁ, ଛତିଶ ରାଠୋର, ଯୋଗେନ୍ଦ୍ର ବେହେରା, ଆନନ୍ଦ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବୈଠକରେ ସରପଞ୍ଚ ଯଶୋଦା ମଲ୍ଲିକ,ନିହାରିକା ବିଶ୍ୱାଳ, ପ୍ରଦୀପ ବଳ, ପ୍ରମିଳା ମାଝୀ, ଅଜୟ ମହାନ୍ତି,ଦୀପ୍ତି ମୟୀ ନାୟକ, ଚାଷୀନେତା ସନ୍ଥ ଚରଣ ବିଶ୍ୱାଳ, ସୁଦର୍ଶନ ସ୍ୱାଇଁ, ଅମରେନ୍ଦ୍ର ଦାସ, ଧୀରେନ୍ଦ୍ର ବେହେରା, ଅଜୟ କୁମାର ରାଉତ, ବସନ୍ତ କୁମାର ନାୟକ, ଦିଲୀପ ବିଶ୍ୱାଳ, ସନାତନ ବାରିକ, ସୁଶାନ୍ତ ମହାପାତ୍ର, ଅନାଦି ବାରିକ, ପ୍ରଫୁଲ୍ଲ ପୃଷ୍ଟି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

