ନୂଆଦିଲ୍ଲୀ : ସୁଦାନରେ ପୁଣି ଧସିଲା ସୁନାଖଣି । ଗୃହଯୁଦ୍ଧର ସାମ୍ନା କରୁଥିବା ସୁଦାନରେ ପୁଣି ଥରେ ବଡ ଅଘଟଣ । ସୁଦାନରେ ସୁନା ଖଣିରେ କାମ କରୁଥିବା ବେଳେ ଧସିବା ଯୋଗୁଁ ୧୧ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଏହାସହିତ ଘଟଣାରେ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହା ପୂର୍ବ ପଶ୍ଚିମ ସୁଦାମରେ ଖଣି ଧସିବା ଯୋଗୁଁ ୮୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିଲେ ।
ଶନିବାର ରାତିରେ ଏହି ଘଟଣା ଘଟିଛି । ମାଟି ତଳେ ଏବେବି ଅନେକ ଶ୍ରମିକ ପୋତି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଶନିବାର ରାତିରେ ଏହି ଅଘଟଣ ଘଟିଥିଲେ ବି ଏବେସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ରବିବାର ରାତି ସୁଦ୍ଧା ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକ ଦବିଥିବା ଆଶଙ୍କା କରାଯାଉଛି ।
ସୁଦାନୀ ମିନେରାଲ୍ସ ରିସୋର୍ସେସ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର ରାତି ସୁଦ୍ଧା ୧୧ଟି ମୃତଦେହ ଉଦ୍ଧାର ହୋଇଛି । ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ କିଛି ଶ୍ରମିକ ମାଟି ତଳେ ପୋତି ହୋଇ ରହିଛନ୍ତି । ସେମାନଙ୍କୁ ବାହାର କରାଯାଉଛି ।
ସୂଚନାଯୋଗ୍ୟ, ସୁଦାନରେ ଥିବା ସୁନା ଖଣିରେ ହଜାର ହଜାର ଶ୍ରମିକ ବିନା କୌଣସି ସୁରକ୍ଷା ଉପକରଣରେ କାମ କରିଥାନ୍ତି । ସୁନା ଉତ୍ପାଦନକାରୀ ଦେଶ ସୁଦାନରେ ଖଣି ଧସିବା ଦ୍ବାରା ମୃତ୍ୟୁ ଏକ ସାଧାରଣ ଘଟଣା । ବେଆଇନ ଖଣିଗୁଡ଼ିକରେ ସୁରକ୍ଷା ମାନଦଣ୍ଡ ବ୍ୟାପକ ଭାବରେ ଉଲ୍ଲଂଘନ କରାଯିବାରୁ ଏଭଳି ପ୍ରାୟତଃ ଘଟିଥାଏ । ଅନେକ ବେଆଇନ ଖଣିରେ ଏମାନଙ୍କୁ ନିୟୋଜିତ କରାଯାଏ । ଗତ ୧୩ ତାରିଖରେ ସୁଦାନରେ ଅନ୍ୟ ଏକ ସୁନା ଖଣିରେ ମାଟି ଧସି ଯାଇଥିଲା । ଦେଶର ପଶ୍ଚିମ ପ୍ରାନ୍ତରେ ଥିବା ଖଣିରେ ଅଘଟଣ ଘଟିଥିଲା । ଯେଉଁଥିରେ ୮୨ ଜଣ ପ୍ରାଣ ହରାଇଥିଲେ ।

