ତିହିଡି, ୧୦.୦୯: ଦୀର୍ଘ ୧୬ ଘଣ୍ଟା କାଳ ରେଳରୋକ ପରେ ପ୍ରଶାସନିକ ସ୍ତରରେ ମିଳିଛି ପ୍ରତିଶୃତି । ବୁଧବାର ରାତି ପ୍ରାୟ ୧୦ ଘଟିକା ସମୟରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ସମେତ ତିହିଡି ତହସିଲଦାର ସୁବାଶିଶ ସାହୁ, ଚାନ୍ଦବାଲି ଏସଡପିଓ ପ୍ରଭାସ ସାହୁ, ଆଦାନୀ କମ୍ପାନୀ ପକ୍ଷରୁ ଏ.ଏସ ଦାସ ଓ ଅନ୍ୟମାନେ ଆନ୍ଦୋଳନକାରୀଙ୍କ ଭେଟି ସମାଧାନ କରିଥିଲେ । ଜଳ ନିଷ୍କାସନରେ ରେଳପଥ ବାଧକ ସାଜିଥିବା ପ୍ରସଙ୍ଗରେ ଆସନ୍ତା ୧୮ ତାରିଖରେ ପ୍ରଶାସନିକ ଅଧିକାରୀଙ୍କ ସମେତ ଧାମରା ବନ୍ଦର କମ୍ପାନୀରେ ଜଳସେଚନ ଓ ନିଷ୍କାସନ ବିଭାଗର ପଦାଧିକାରୀଙ୍କ ଯୁଗ୍ମ କ୍ଷେତ୍ରୀୟ ତଦନ୍ତ କରାଯିବ, ବନ୍ଦର କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସିଆରଏସ ଫଣ୍ଡ କାର୍ଯ୍ୟକାରୀ କରିବ ଏବଂ ସମସ୍ତ ଦାବୀଗୁଡିକ ସମ୍ପର୍କରେ ଆସନ୍ତା ୨୧ ତାରିଖରେ ଭଦ୍ରକ ପାନ୍ଥନିବାସରେ ବିଚାର ବିମର୍ଷ କରାଯିବ ଏବଂ ସେଥିରେ ଜିଲ୍ଲା ପ୍ରଶାସନ ସହ ଧାମରା ବନ୍ଦର କମ୍ପାନୀର କର୍ତ୍ତୃପକ୍ଷ ଉପସ୍ଥିତ ରହିବେ ବୋଲି ଏକ ଲିଖିତ ପ୍ରତିଶୃତି ମିଳିଛି । ସୂଚନା ମୁତାବକ, ଧାମରା ବନ୍ଦରର ଅନ୍ୟାୟ ଓ ଅନୀତି ବିରୋଧରେ ଶିକ୍ଷିତ-ବେରୋଜଗାର, ଚାଷୀ, ଶ୍ରମିକ, ଗରିବ-ଖଟିଖିଆ, ଶୋଷିତ-ନିଷ୍ପେଷିତ, ଅଭାବି ଗାଡି ମାଲିକ ମାନଙ୍କ ଦ୍ୱାରା ଆୟୋଜିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ଗଦି-ଗୁରୁଦାସପୁର ନିକଟସ୍ଥ ରେଳପଥରେ ବିଶାଳ ଜନଆକ୍ରୋଶ ଓ ରେଳରୋକ ଅନୁଷ୍ଠିତ ହୋଇଥିଲା । ବିକ୍ଷୋଭକାରୀମାନେ ରେଳପଥରେ ପାଲ ପକାଇ ଆନ୍ଦୋଳନ କରିଥିଲେ । ଭଦ୍ରକ ଜିଲ୍ଲା ବିକାଶ ପରିଷଦ, ଚାନ୍ଦବାଲି ଓ ତିହିଡି ବ୍ଲକର ୪୨ ପଞ୍ଚାୟତ ଉପେକ୍ଷତି ଶହସ୍ରାଧିକ ଗ୍ରାମବାସୀ, ଭଦ୍ରକ ଜିଲ୍ଲା ଟିପର ଓ ଟ୍ରକ୍ ମାଲିକ ସଂଘ ଓ ବିଶ୍ୱକର୍ମା ଟ୍ରକ ମାଲିକ ସଂଘର ମିଳିତ ଆନୁକୂଲ୍ୟରେ ଏହି ରେଳରୋକ୍ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ଫଳରେ ବନ୍ଦର କମ୍ପାନୀ ପକ୍ଷରୁ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଅଭିଯୋଗ ଅନୁଯାଇ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଧାମରା ବନ୍ଦର ରେଳପଥ । ଆବଶ୍ୟକ ମୁତାବକ କଲଭର୍ଟ ନଥିବାରୁ ବନ୍ୟା ଜଳ ଓ ବର୍ଷା ନିଷ୍କାଷିତ ହୋଇ ପାରୁନାହିଁ ଯାହା ଫଳରେ ଚାଷ ଜମିରେ ସର୍ବଦା ପାଣି ଜମି ରହୁଛି । ରେଳପଥ କାର୍ଯ୍ୟକାରୀ ହେବାଠାରୁ ଚାଷୀ ବେରୋଜଗାର ହୋଇ ଯାଇଛି । ଧାମରା ବନ୍ଦରକୁ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ରୂପେ ଗଢ଼ି ତୋଳି ରୋଜଗାର, ନିଯୁକ୍ତି, ପରିବହନ ଓ ଭତ୍ତିଭୂମିର ଅହେତୁକ ବିକାଶ କରିବାର ଲମ୍ବା ପ୍ରତିଶୃତି ପାଣିର ଗାର ସଦୃଶ ହୋଇଅଛି । ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରୀ ପ୍ରାପ୍ତ ଶହ ଶହ ବେକାର ଯୁବକ ଯୁବତୀମାନଙ୍କର ଧାମରା ବନ୍ଦରକୁ ଆଧାର କରି ଦେଖା ଯାଇଥିବା ସ୍ୱପ୍ନ, ଉତ୍ସାହ ଓ ଉଦ୍ଦୀପନା ପାଣି ଫୋଟକା ଭଳି ମେଳେଇ ଯାଇଛି । ସଂପ୍ରତି ଚାଲିଥିବା କୋଇଲା ପରିବହନରେ କେତେକ ନିଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ଓ କରାୟତ ସଂଘଗୁଡ଼ିକ ଗାଡ଼ି ଲଗେଇ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଧାମରା ଅଞ୍ଚଳର ଜଣକା ୧୦ ଖଣ୍ଡ ଗାଡ଼ି କିଣି କୋଇଲା ପରିବହନ ଓ ବ୍ୟବସାୟରେ ନିୟୋଜିତ କରୁଥିବା ବେଳେ ଏହି ଅଞ୍ଚଳରେ ଲୋକେ ଗୋଟିଏ ଦୁଇଟା ଗାଡି କିଣି ଗାଡ଼ିର ଋଣ ସୁଝି ପାରୁ ନାହାଁନ୍ତି । ଭଦ୍ରକରୁ ଧାମରା ୬୨ କି.ମି ଲମ୍ବିତ ରେଳପଥରେ ଥିବା ସମସ୍ତ ରେଳ ଷ୍ଟେସନ ଲେବୁଲ୍ କ୍ରସିଂ ଗେଟ୍ରେ ଚାକିରୀ ପାଇଥିବା ଆନୁମାନିକ ଦେଢ ହଜାର ଲୋକମାନଙ୍କ ମଧ୍ୟରୁ ହଜାରରୁ ଅଧିକ ହେଉଛନ୍ତି ବାହାର ଲୋକ । ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ଆଧାରରେ ପ୍ରତିଷ୍ଠିତ ହୋଇଥିବା ଏହି ପୋର୍ଟକୁ ଏକ ପ୍ରାଇଭେଟ ପୋର୍ଟ ବୋଲି ଅଭିହିତ କରି ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କର ସ୍ୱରକୁ ଅଧିକାଂଶ ବେଳେ ଅଣଦେଖା କରୁଅଛି । ନିଯୁକ୍ତି ପାଇଁ ଯୋଗ୍ୟତା ଥିବା ସ୍ଥାନୀୟ ସୁବକ ଯୁବତୀ ହୁଅନ୍ତୁ ବା ବ୍ୟବସାୟ ହେଉ ବା ପରିବହନ ପାଇଁ ଲୋନ୍ କରି ଗାଡ଼ି କିଣିଥିବା ସ୍ଥାନୀୟ ବ୍ୟକ୍ତି ଧାମରା ପୋର୍ଟ ସମାନ ଭାବରେ ପ୍ରାଧ୍ୟାନ୍ୟ ନଦେଲେ ଆଗାମି ଦିନରେ ଲଢେଇ ଜୋରଦାର କରାଯିବ ବୋଲି ଚେତାବନି ଦିଆଯାଇଛି । ପ୍ରତି ମାସ ୯ ତାରିଖରେ ଏପରି ରେଳରୋକ କରାଯିବ ଏବଂ ତିନିମାସ ମଧ୍ୟରେ ସରକାର/ପ୍ରଶାସନ/ଧାମରା ବନ୍ଦର କମ୍ପାନୀ ପକ୍ଷରୁ ଦାବୀ ପୂରଣ କରାନଗଲେ ଆଗାମି ଦିନରେ ତୃଣମୂଳ ସ୍ତରରୁ ଆନ୍ଦୋଳନର ଦାନା ବନ୍ଧାଯିବ ବୋଲି ଚେତାବନି ଦିଆ ଯାଇଥିଲା । ତେବେ ପାଇବା ପରେ ସେମାନେ ଖୁସି ନାହାଁନ୍ତି, ଯଦି ପ୍ରତାରଣାର ଶିକାର ହୁଅନ୍ତି ତେବେ ଅନ୍ଦୋଳକୁ ଆହୁରି ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି

