ତିହିଡି, ୧୦.୦୯: ଶିକ୍ଷାର ବିକଳ ଚିତ୍ର, ନଅଟି ଶ୍ରେଣୀକୁ ମାତ୍ର ତିନି ଜଣ ଶିକ୍ଷକ । ବାରମ୍ବାର ହାରିଗୁହାରୀ ପରେ ବି ଶୁଣିଲା ନାହିଁ ପ୍ରଶାସନ ଶେଷରେ ପ୍ରତିବାଦ ସ୍ୱରୂପ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ଜଳେଶ୍ୱର ସରକାରୀ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ୯ଟି ଶ୍ରେଣୀରେ ୧୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଉକ୍ତ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ମାତ୍ର ୪ଜଣ ଶିକ୍ଷକ ଥିବାବେଳେ ସଂପ୍ରତି ଜଣେ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯାଇଛି । ଶିକ୍ଷକ ବଦଳିକୁ ନେଇ ତାତିଲେ ଅଭିଭାବକ, ଫାଟକରେ ତାଲା ପକାଇ କଲେ ପ୍ରତିବାଦ । ଶିକ୍ଷକ ଅଭାବରୁ ପିଲାମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଶିକ୍ଷକ ବଦଳିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଉକ୍ତ ବିଦ୍ୟାଳୟରୁ ବଦଳି ଶିକ୍ଷୟତ୍ରୀକୁ ପୁନଃ ଅବସ୍ଥାପିତ ସହ ଆହୁରି ୨ ଜଣ ଶିକ୍ଷକ ନିଯୁକ୍ତି ଦାବୀ କରିଛନ୍ତି ।

