ତିହିଡି, ୦୯.୦୯: ଧାମରା ବନ୍ଦରର ଅନ୍ୟାୟ ଓ ଅନୀତି ବିରୋଧରେ ଶିକ୍ଷିତ-ବେରୋଜଗାର, ଚାଷୀ, ଶ୍ରମିକ, ଗରିବ-ଖଟିଖିଆ, ଶୋଷିତ-ନିଷ୍ପେଷିତ, ଅଭାବି ଗାଡି ମାଲିକ ମାନଙ୍କ ଦ୍ୱାରା ଆୟୋଜିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ଗଦି-ଗୁରୁଦାସପୁର ନିକଟସ୍ଥ ରେଳପଥରେ ବିଶାଳ ଜନଆକ୍ରୋଶ ଓ ୧୨ ଘଣ୍ଟିଆ ରେଳରୋକ ଅନୁଷ୍ଠିତ ହୋଇଥିଲା । ତେବେ ଅପରାହ୍ନରେ ତିହିଡି ତହସିଲଦାର ସୁବାଶିଶ ସାହୁ ଓ ଅତିରିକ୍ତ ତହସିଲଦାର ସତିଶ ରାଉତ ବିକ୍ଷୋଭାକାରୀଙ୍କୁ ଭେଟି ଜଳ ନିଷ୍କାସନ ଏକ ସପ୍ତାହ ମଧ୍ୟରେ କରାଯିବ ଏବଂ ଅନ୍ୟାନ୍ୟ ଦାବୀ ପୂରଣ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବାରୁ ସେମାନେ ଉକ୍ତ ରେଳରୋକକୁ ଆଉ ୧୨ ଘଣ୍ଟା ଅର୍ଥାତ୍ ଗୁରୁବାର ସକାଳ ୬ ଘଟିକା ପର୍ଯ୍ୟନ୍ତ ଚାଲୁରଖିବେ ବୋଲି ଚେତାବନି ଦେଇଛନ୍ତି । ବିକ୍ଷୋଭକାରୀମାନେ ରେଳପଥରେ ପାଲ ପକାଇ ଆନ୍ଦୋଳନ କରିଥିଲେ । ଭଦ୍ରକ ଜିଲ୍ଲା ବିକାଶ ପରିଷଦ, ଚାନ୍ଦବାଲି ଓ ତିହିଡି ବ୍ଲକର ୪୨ ପଞ୍ଚାୟତ ଉପେକ୍ଷତି ଶହସ୍ରାଧିକ ଗ୍ରାମବାସୀ, ଭଦ୍ରକ ଜିଲ୍ଲା ଟିପର ଓ ଟ୍ରକ୍ ମାଲିକ ସଂଘ ଓ ବିଶ୍ୱକର୍ମା ଟ୍ରକ ମାଲିକ ସଂଘର ମିଳିତ ଆନୁକୂଲ୍ୟରେ ଏହି ରେଳରୋକ୍ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ଫଳରେ ବନ୍ଦର କମ୍ପାନୀ ପକ୍ଷରୁ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଜିଲ୍ଲା ବିକାଶ ପରିଷଦର ସଭାପତି ଶୁଭେନ୍ଦୁ ରାୟମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ସମ୍ପାଦକ ସେକ୍ ରେଜାଉଲ ମୁସ୍ତାଫା, ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ନେତା ସତ୍ୟାନନ୍ଦ ରାଉତ, ଟ୍ରକ ସଂଘର ଉପସଭାପତି ପ୍ରଫୁଲ ପୃଷ୍ଟି, ଦେବାଶିଶ ମିଶ୍ର, ବାମପନ୍ତ୍ରୀ ନେତା ସନ୍ଥଚରଣ ବିଶ୍ୱାଳ, ଅମରେନ୍ଦ୍ର ଦାସ, ସୁଦର୍ଶନ ସ୍ୱାଇଁ, ଧିରେନ୍ଦ୍ର ବେହେରା, ବିଶ୍ୱକର୍ମା ଟ୍ରକ୍ ସଂଘର ସମ୍ପାଦକ ଚନ୍ଦନ ନାୟକ, ସରପଞ୍ଚ ପ୍ରମିଳା ମାଝୀ, ଶକ୍ତିପ୍ରକାଶ ବିଶ୍ୱାଳ, ଚୈତନ୍ୟ ସେଠୀ, ସର୍ବେଶ୍ୱର ବେହେରା, ଦିଲ୍ଲିପ ବିଶ୍ୱାଳ, ପୃଥିରାଜ ନାୟକ, ଦୀପକ ନାୟକ, ଶ୍ରୀନିବାସ ନାୟକ, ଗୋରାବାବୁ ସାହା, ବଟକୃଷ୍ଣ ନାୟକ, ରାଜେନ୍ଦ୍ର ଭଳ, ଆଶିଶ ମହନ୍ତ, ସୁରେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ପାଢୀ, ରମାକାନ୍ତ ମଢୁଆଳ, କିଶୋଳ ବେହେରା, ବେଣୁଧର ମାଝୀ, ଅର୍ଜୁନ ବେହେରା, ତାଳଧ୍ୱଜ ବେହୁରିଆ, ସୁନିଲ ଲେଙ୍କା, ରଜତ ପତି, ଅବନ୍ତୀ ବିଶ୍ୱାଳ, ସୁଚିତ୍ରା ସାହୁ, ରଶ୍ମିପ୍ରଭା ସାହୁ, ହିରାମଣି ସାହୁ ଓ ରୀନାରାଣୀ ସାହୁ ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ରେଳପଥରେ ନାଲି ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଧାମରା ବନ୍ଦର ବିରୋଧରେ ନାରାବାଜି କରା ଯାଇଥିଲା । ଅଭିଯୋଗ ଅନୁଯାଇ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଧାମରା ବନ୍ଦର ରେଳପଥ । ଆବଶ୍ୟକ ମୁତାବକ କଲଭର୍ଟ ନଥିବାରୁ ବନ୍ୟା ଜଳ ଓ ବର୍ଷା ନିଷ୍କାଷିତ ହୋଇ ପାରୁନାହିଁ ଯାହା ଫଳରେ ଚାଷ ଜମିରେ ସର୍ବଦା ପାଣି ଜମି ରହୁଛି । ରେଳପଥ କାର୍ଯ୍ୟକାରୀ ହେବାଠାରୁ ଚାଷୀ ବେରୋଜଗାର ହୋଇ ଯାଇଛି । ସାମ୍ପ୍ରତିକ ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଭଦ୍ରକ ଜିଲ୍ଲାରେ ଶିଳ୍ପାୟନର ଦ୍ରୁତ ପ୍ରଗତି ଓ ସ୍ଥାନୀୟ ଜନସାଧାରଣଙ୍କର ଅଭିବୃଦ୍ଧି ପାଇଁ ପ୍ରତିଷ୍ଠା ହୋଇଥିବା ଧାମରା ବନ୍ଦର ଆଜି ଜିଲ୍ଲାର ଅଧିକାଂଶ ଲୋକମାନଙ୍କ ପାଇଁ ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି । ଏହି ଧାମରା ବନ୍ଦରକୁ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ରୂପେ ଗଢ଼ି ତୋଳି ରୋଜଗାର, ନିଯୁକ୍ତି, ପରିବହନ ଓ ଭତ୍ତିଭୂମିର ଅହେତୁକ ବିକାଶ କରିବାର ଲମ୍ବା ପ୍ରତିଶୃତି ପାଣିର ଗାର ସଦୃଶ ହୋଇଅଛି । ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରୀ ପ୍ରାପ୍ତ ଶହ ଶହ ବେକାର ଯୁବକ ଯୁବତୀମାନଙ୍କର ଧାମରା ବନ୍ଦରକୁ ଆଧାର କରି ଦେଖା ଯାଇଥିବା ସ୍ୱପ୍ନ, ଉତ୍ସାହ ଓ ଉଦ୍ଦୀପନା ପାଣି ଫୋଟକା ଭଳି ମେଳେଇ ଯାଇଛି । ୨୦୦୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ସରକାର କରିଥିବା ଚୁକ୍ତିନାମା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ସଂପ୍ରତି ଚାଲିଥିବା କୋଇଲା ପରିବହନରେ କେତେକ ନିଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ଓ କରାୟତ ସଂଘଗୁଡ଼ିକ ଗାଡ଼ି ଲଗେଇ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଧାମରା ଅଞ୍ଚଳର ଜଣକା ୧୦ ଖଣ୍ଡ ଗାଡ଼ି କିଣି କୋଇଲା ପରିବହନ ଓ ବ୍ୟବସାୟରେ ନିୟୋଜିତ କରୁଥିବା ବେଳେ ଏହି ଅଞ୍ଚଳରେ ଲୋକେ ଗୋଟିଏ ଦୁଇଟା ଗାଡି କିଣି ଗାଡ଼ିର ଋଣ ସୁଝି ପାରୁ ନାହାଁନ୍ତି । ଭଦ୍ରକରୁ ଧାମରା ୬୨ କି.ମି ଲମ୍ବିତ ରେଳପଥରେ ଥିବା ସମସ୍ତ ରେଳ ଷ୍ଟେସନ ଲେବୁଲ୍ କ୍ରସିଂ ଗେଟ୍ରେ ଚାକିରୀ ପାଇଥିବା ଆନୁମାନିକ ଦେଢ ହଜାର ଲୋକମାନଙ୍କ ମଧ୍ୟରୁ ହଜାରରୁ ଅଧିକ ହେଉଛନ୍ତି ବାହାର ଲୋକ । ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ଆଧାରରେ ପ୍ରତିଷ୍ଠିତ ହୋଇଥିବା ଏହି ପୋର୍ଟକୁ ଏକ ପ୍ରାଇଭେଟ ପୋର୍ଟ ବୋଲି ଅଭିହିତ କରି ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କର ସ୍ୱରକୁ ଅଧିକାଂଶ ବେଳେ ଅଣଦେଖା କରୁଅଛି । ଏବେ ଚୁପ୍ ରହିବା, ନୀରବଦ୍ରଷ୍ଟା ସାଜିବା ଓ ହତୋତ୍ସାହିତ ହେବାର ବେଳ ଶେଷ ହୋଇଛି ଏବଂ ଦୁର୍ବାର ଆନ୍ଦୋଳନ କରିବାର ସମୟ ଆସିଛି । ଶିଳ୍ପାୟନର ସୁଫଳକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନରଖ୍ ଏହାକୁ ଲୋକାଭିମୁଖୀ କରିବା ପାଇଁ ଆହ୍ୱାନ ଦିଆଯାଇଛି । ନିଯୁକ୍ତି ପାଇଁ ଯୋଗ୍ୟତା ଥିବା ସ୍ଥାନୀୟ ସୁବକ ଯୁବତୀ ହୁଅନ୍ତୁ ବା ବ୍ୟବସାୟ ହେଉ ବା ପରିବହନ ପାଇଁ ଲୋନ୍ କରି ଗାଡ଼ି କିଣିଥିବା ସ୍ଥାନୀୟ ବ୍ୟକ୍ତି ଧାମରା ପୋର୍ଟ ସମାନ ଭାବରେ ପ୍ରାଧ୍ୟାନ୍ୟ ନଦେଲେ ଆଗାମ…

