ବିଷୟ: ଓଡ଼ିଶାରେ ମତ୍ସ୍ୟ ସମ୍ବନ୍ଧୀୟ ଯୋଜନା
ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନସ୍ଥ ମତ୍ସ୍ୟ ବିଭାଗ (DoF), ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ସୁପାରିଶ ଆଧାରରେ ସମଗ୍ର ଦେଶରେ, ବାଲେଶ୍ୱର ଜିଲ୍ଲା ସହିତ, ମତ୍ସ୍ୟ ଓ ଜଳଚାଷ କ୍ଷେତ୍ରର ସର୍ବାଙ୍ଗୀଣ ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ରୂପାୟଣ କରୁଛି।
୨୦୧୪–୧୫ ଠାରୁ ଗତ ୧୨ ବର୍ଷ ମଧ୍ୟରେ ବ୍ଲୁ ରିଭୋଲ୍ୟୁସନ (BR) ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (PMMSY) ଅଧୀନରେ ଓଡ଼ିଶା ସରକାରଙ୍କ ₹୧,୫୬୭.୯୬ କୋଟି ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଅଂଶ ₹୫୪୯.୫୮ କୋଟି ରହିଛି, ଯାହା ଓଡ଼ିଶା ସହ ବାଲେଶ୍ୱର ଜିଲ୍ଲାର ମତ୍ସ୍ୟ ଓ ଜଳଚାଷ ବିକାଶ ପାଇଁ ବ୍ୟୟ ହେଉଛି।
ଏହାଛଡ଼ା ମତ୍ସ୍ୟ ଓ ଜଳକୃଷି ଅବକାଠା ବିକାଶ ପାଣ୍ଠି (FIDF) ଅଧୀନରେ ଓଡ଼ିଶା ପାଇଁ ₹୭୮୪.୩୨ କୋଟି ବ୍ୟୟର ୧୩ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯେଉଁଥିରେ ₹୨୮୬.୩୯ କୋଟି ସୁଧ ସହାୟତା ଦିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ₹୮.୨୬ କୋଟି ବ୍ୟୟର ୨ଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ମଞ୍ଜୁର ହୋଇଛି।
ଓଡ଼ିଶା ସରକାର ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ରାଜ୍ୟର ସମସ୍ତ ଜିଲ୍ଲା ସହିତ ବାଲେଶ୍ୱରରେ ମଧ୍ୟ ମତ୍ସ୍ୟ ଓ ଜଳଚାଷ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକରୀ ହେଉଛି।
୨୦୧୪–୧୫ ଠାରୁ ୨୦୨୫–୨୬ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାରେ ବ୍ଲୁ ରିଭୋଲ୍ୟୁସନ ଏବଂ PMMSY ଅଧୀନରେ ହୋଇଥିବା ପ୍ରମୁଖ କାର୍ଯ୍ୟଗୁଡ଼ିକ:
ଚାନ୍ଦିପୁର ମାଛଧରା ବନ୍ଦରର ବିକାଶ – ₹୪୯.୯୪ କୋଟି।
ବସ୍ତାରେ ଅତ୍ୟାଧୁନିକ ହୋଲସେଲ ମାଛ ବଜାର ସ୍ଥାପନ – ₹୭୮.୨୦ କୋଟି।
ଜଳବାୟୁ ସହନଶୀଳ ୫ଟି ଉପକୂଳୀୟ ମତ୍ସ୍ୟଜୀବୀ ଗ୍ରାମ (CRCFV)ର ବିକାଶ।
୬ଟି କୋଲ୍ଡ ଷ୍ଟୋରେଜ/ଆଇସ ପ୍ଲାଣ୍ଟ ୟୁନିଟ୍ ସ୍ଥାପନ।
ବାହାବଲପୁର ଉପକୂଳରେ ଭାରତୀୟ ପମ୍ପାନୋ ମାଛର ସମୁଦ୍ର କେଜ୍ ଚାଷ ପ୍ରଦର୍ଶନ – ₹୨.୫୭ କୋଟି।
୧୦୭ ହେକ୍ଟର ଲୁଣିଆ ପାଣି ଅଞ୍ଚଳକୁ ଜଳଚାଷ ଅଧୀନକୁ ଆଣିବା।
୩ଟି ଫିନଫିଶ ହ୍ୟାଚେରୀ ଏବଂ ୧ଟି ସ୍କାମ୍ପି ହ୍ୟାଚେରୀ ସ୍ଥାପନ।
ବାଲେଶ୍ୱରକୁ ସ୍କାମ୍ପି ଉତ୍ପାଦନ ଓ ପ୍ରକ୍ରିୟାକରଣ କ୍ଲଷ୍ଟର ଭାବେ ଘୋଷଣା କରାଯାଇଛି।
ଓଡ଼ିଶା ସରକାରଙ୍କ ସୂଚନା ଅନୁସାରେ, ୨୦୧୪–୧୫ ଠାରୁ ବାଲେଶ୍ୱର ଜିଲ୍ଲା ପାଇଁ ବିଭିନ୍ନ ମତ୍ସ୍ୟ ବିକାଶ ଯୋଜନା ଅଧୀନରେ ମୋଟ ₹୨୫୦.୭୧ କୋଟି ବରାଦ୍ଦ କରାଯାଇଛି। ଏଥିରୁ ₹୨୧୪.୪୫ କୋଟି (୮୬%) ବ୍ୟବହାର କରାଯାଇଛି।

