ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଏବଂ ଲୋକସଭା ସାଂସଦ ଶଶି ଥରୁର ଶୁକ୍ରବାର ଦିନ ସନ୍ଧ୍ୟାରେ କେରଳର ତିରୁବନନ୍ତପୁରମର ଏକ ଘରୋଇ ହୋଟେଲର ଲିଫ୍ଟରେ ପ୍ରାୟ ୧୫ ମିନିଟ୍ ପାଇଁ ଫସି ରହିଥିଲେ । ଏହି ଘଟଣା ହୋଟେଲରେ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ସୂଚନା ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ସହିତ ଫସି ରହିଥିବା ଲୋକଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ସୂଚନାନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ଏବଂ ଲୋକସଭା ସାଂସଦ ଶଶି ଥରୁର ତ୍ରିଭେନ୍ଦ୍ରମ ପୂର୍ବର ରୋଟାରୀ କ୍ଲବର ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ ସେଠାରେ ପହଞ୍ଚିଥିଲେ । କେରଳର ତିରୁବନନ୍ତପୁରମର ଏକ ଘରୋଇ ହୋଟେଲର ଲିଫ୍ଟରେ ପ୍ରାୟ ୧୫ ମିନିଟ୍ ପାଇଁ ଫସି ରହିଥିଲେ । ସନ୍ଧ୍ୟା ୭ଟା ୨୭ ମିନିଟରେ ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ସୂଚନା ପାଇଥିଲେ । ତୁରନ୍ତ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଇଥିଲା । ହୋଟେଲ କର୍ମଚାରୀ ଏବଂ ଦେଖଣାହାରୀମାନେ ଲୁହା ରଡ୍ ସାହାଯ୍ୟରେ ଲିଫ୍ଟର ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ବିଫଳ ହୋଇଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲିପ୍ଟ ଖରାପ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ଅଧିକାରୀମାନେ ଏକ ଆଧୁନିକ ହାଇଡ୍ରୋଲିକ୍ ସ୍ପ୍ରେଡର ଉପକରଣ ବ୍ୟବହାର କରିଥିଲେ ଏବଂ କିଛି ସମୟ ପରେ ଲିପ୍ଟ ଖୋଲିଥିଲା ।
ଅନ୍ୟପଟେ ଦ୍ୱାର ଖୋଲିବା ମାତ୍ରେ ଶଶି ଥରୁର ହସ ହସ ମୁହଁରେ ବାହାରକୁ ଆସିଥିଲେ । ସେ ତୁରନ୍ତ ଆଶ୍ୱସ୍ତିର ନିଶ୍ୱାସ ନେଇ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଥିଲେ । ଏହା ବ୍ୟତୀତ ଅଧିକାରୀଙ୍କ ତତ୍ପରତାକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଚା ପିଇବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଅଧିକାରୀମାନେ ହସ ଏବଂ ହାତ ମିଳାଇ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଥରୁର ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା ପାଇଁ ସେମାନଙ୍କୁ ସମ୍ମାନିତ କରିଥିଲେ ।

