ପାଟନା : ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଏବଂ ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ବଡ଼ ଖବର ମିଳିଛି । ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସଙ୍କ ନେପାଳରେ ସନ୍ଦେହଜନକ ମୃତ୍ୟୁ ହୋଇଛି । ଖାନ୍ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜା ମାମଲାରେ ପ୍ରିନ୍ସ ଜଣେ ଅଭିଯୁକ୍ତ ଥିଲେ । ପୋଲିସ ଗିରଫଦାରୀ ଭୟରେ ସେ ନେପାଳରେ ଲୁଚି ରହିଥିଲେ ।
ଖବର ମୁତାବକ, ପାଟନା ପୋଲିସ ଦ୍ୱାରା ରୋଶନ ଆନନ୍ଦଙ୍କୁ ଗିରଫ କରାଯିବା ପରେ ପ୍ରିନ୍ସ ନିଜର କିଛି ସାଙ୍ଗମାନଙ୍କ ସହ ନେପାଳ ପଳାଇଥିଲେ । ସେଠାରେ ଏକ ଗେଷ୍ଟ ହାଉସରେ ରହୁଥିବା ସମୟରେ ବିଳମ୍ବିତ ରାତିରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବ୍ରେନ୍ ହାମରେଜ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି କିଛି ସୂତ୍ରରୁ ଖବର ମିଳିଛି । କିନ୍ତୁ ପରିବାର ଲୋକେ ଏହାକୁ ଏକ ଷଡ଼ଯନ୍ତ୍ର ଏବଂ ହତ୍ୟା ବୋଲି ସନ୍ଦେହ କରୁଛନ୍ତି । ନେପାଳ ପୋଲିସ ଏହି ମୃତ୍ୟୁ ମାମଲାର ଯାଞ୍ଚ କରୁଛି ।
ପାଟନା ଖାନ ସାର୍ ବନାମ ରୋଶନ ଆନନ୍ଦ ବିବାଦ କାରଣରୁ ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦ ଏବେ ଜେଲରେ ରହିଛନ୍ତି । ଖାନ ସାରଙ୍କୁ ଅଗ୍ରୀମ ଜାମିନ ମିଳିଛି । ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ମାମଲାରେ ରୋଶନ ଆନନ୍ଦଙ୍କ ଭାଇ ପ୍ରିନ୍ସ ଯାଦବ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ଏଫଆଇଆର ଦାୟର ହେବା ପରେ ଗିରଫଦାରୀରୁ ବଞ୍ଚିବା ପାଇଁ ନେପାଳ ଫେରାର ହୋଇଯାଇଥିଲେ ।
ପ୍ରିନ୍ସ ଯାଦବଙ୍କ ମୃତ୍ୟୁ କେଉଁ କାରଣ ଯୋଗୁଁ ହୋଇଛି, ତାହା ଏଯାଏଁ ଜଣାପଡିନାହିଁ । ନେପାଳ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ତେବେ ପ୍ରିନ୍ସଙ୍କ ସହିତ ହୋଟେଲ ରୁମରେ ଯେଉଁ ଯୁବକ ଥିଲେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ମାମଲାର ଅଧିକ ଯାଞ୍ଚ କରୁଛି ।

