ନୂଆଦିଲ୍ଲୀ : ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ । ଭାରତୀୟ ସେନା ନିଜର ଡ୍ରେସ ଏବଂ ଗ୍ରୁମିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛି । ସେନା ପୋଷାକରେ ଝଲସିବ ଭାରତୀୟତା । ଆର୍ମି ୟୁନିଫର୍ମ-୨୦୨୬ ଲାଗୁ, ହଟିଲା ଔପନିବେଶିକ ଚିହ୍ନ । ସାମିଲ ହେଲା ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ । ନିଜର ଗୌରବମୟ ପରମ୍ପରାକୁ ଆଧୁନିକ ଏବଂ ଦେଶୀ ରୂପ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ସେନା ।
ଦୀର୍ଘ ୮ ବର୍ଷ ପରେ ସେନାର ପୋଷାକ ନିୟମରେ ବ୍ୟାପକ ସଂଶୋଧନ କରାଯାଇ ‘ଆର୍ମି ୟୁନିଫର୍ମ-୨୦୨୬ ନାମରେ ଏକ ୧୭୪ ପୃଷ୍ଠାର ନୂଆ ମାନୁଆଲ୍ ଜାରି କରାଯାଇଛି । ଏହି ନୂଆ ନିୟମର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ସେନାର ମର୍ଯ୍ୟାଦା ଓ ପରମ୍ପରାକୁ ବଜାୟ ରଖିବା ସହ ବ୍ରିଟିଶ ବା ଔପନିବେଶିକ ସମୟର କେତେକ ପୁରୁଣା ପ୍ରଥାକୁ ହଟାଇ ସେଥିରେ ଭାରତୀୟତାର ସ୍ପର୍ଶ ଦେବା । ଏବେ ସେନାର ଅଧିକାରୀମାନେ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସ୍ୱଦେଶୀ ଶୈଳୀର ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ ପିନ୍ଧିପାରିବେ । ଏହାକୁ ଫୁଲ୍-ସ୍ଲିଭ୍ ସାର୍ଟ ଉପରେ ଢ଼ିଲା କିମ୍ବା ହୁକ୍ ଲଗାଇ ଫର୍ମାଲ୍ ପ୍ୟାଣ୍ଟ ଓ ଜୋତା ସହ ପିନ୍ଧାଯାଇପାରିବ । ମେସ୍ ଡ୍ରେସ୍ ଭଳି କେତେକ ନିର୍ଦ୍ଦିଷ୍ଟ ପୋଷାକରୁ ବ୍ରିଟିଶ ଅମଳର ପାରମ୍ପରିକ ସେରିମୋନିଆଲ୍ ପାଉଚ୍ ବେଲ୍ଟକୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଛି ।
ପରେଡ୍ ସମୟରେ ରିଭ୍ୟୁଇଂ ଅଫିସରଙ୍କ ପାଇଁ ତରବାରୀ ଧରିବା ଆଉ ବାଧ୍ୟତାମୂଳକ ହୋଇ ରହିବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଅଫିସରଙ୍କ ଇଚ୍ଛା ଉପରେ ନିର୍ଭର କରିବ । ସମସ୍ତ ପାହ୍ୟାର ସୈନିକ ଓ ଅଧିକାରୀଙ୍କ ପାଇଁ ଏକ ନୂଆ ୱିଣ୍ଟର ୟୁନିଫର୍ମ ଅଣାଯାଇଛି । ଯେଉଁଥିରେ ଆଙ୍ଗୋଲା ସାର୍ଟ, ବ୍ୟାଟେଲ୍ ଜ୍ୟାକେଟ୍ ଏବଂ ବେରେଟ୍ ସାମିଲ ରହିଛି । ଏହି ମାନୁଆଲରେ ସ୍ପଷ୍ଟ କରାଯାଇଛି ଦେଶର ଭାବନା ଏବଂ ଆମର ସାର୍ବଭୌମ ପରିଚୟକୁ ସମ୍ମାନ ଜଣାଇ ଏହି ପରିବର୍ତ୍ତନ କରାଯାଇଛି । ଏହା ସେନାର ବୃତ୍ତିଗତ ମର୍ଯ୍ୟାଦା ଓ ପାରମ୍ପରିକ ଅସ୍ମିତାକୁ କ୍ଷୁର୍ଣ୍ଣ ନକରି ଅଦରକାରୀ ବ୍ରିଟିଶ ଚିହ୍ନକୁ ଦୂରେଇବାରେ ସାହାଯ୍ୟ କରିବ ।

